ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପଶ୍ଚିମବଙ୍ଗର କୋଲକାତା ସହର ସହିତ ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଲାଗିଛି । ଭୂକମ୍ପର କେନ୍ଦ୍ରସ୍ଥଳର ବାଂଲାଦେଶରେ ରହିଥିବାବେଳେ ତିବ୍ରତା ରିକ୍ଟର୍ ସ୍କେଲରେ ୫.୬ ଥିଲା । ଏହା ପୂର୍ବରୁ ପାକିସ୍ତାନ ଭୂମି କମ୍ପ ଅନୁଭୂତ ହୋଇଥିଲା ।
ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରୁ ୨୭ କିଲୋମିଟର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ପର୍ୟ୍ୟନ୍ତ ଥିଲା । ଫଳରେ କୋଲକାତା, ଉତ୍ତର ବଙ୍ଗ, କୁଚବିହାର ଏବଂ ଦିନାଜପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ସମୟ ୧୦ଟା ବାଜି ୧୦ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା ।
ଭୂକମ୍ପ ହେବା କ୍ଷଣି ଘର ଫ୍ୟାନ୍ ଏବଂ ଆସବାବ ପତ୍ର ଦୋହଲିବାକୁ ଆରମ୍ଭ କରିଥିଲା । ଫଳରେ ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ।
ଏହା ପୂର୍ବରୁ ପାକିସ୍ତାନରେ ଭୂମି କମ୍ପ ହୋଇଥିବା ଖବର ମିଳିଛି । ଭୋର ୩ଟା ୯ ମିନିଟ ସମୟରେ ଅନୁଭୂତ ହୋଇଛି । ତିବ୍ରତା ରିକ୍ଟର ସ୍କେଲରେ ୫.୨ ଥିଲା । ଯାହାର କେନ୍ଦ୍ର ସ୍ଥଳ ପୃଥିବୀ ପୃଷ୍ଠରୁ ୧୩୫ କିଲୋମିଟର୍ ଭିତରେ ଥିଲା ।