ପାଟନା: ଗୁରୁବାର ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଦଶମ ଥର ପାଇଁ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଏନଡିଏ ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ଆଉ ଶପଥ ଉତ୍ସବ ପରେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି।ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି।
ଶପଗ୍ରହଣ ଉତ୍ସବ ପରେ ଏମିତି ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ପାଟନା ବିମାନବନ୍ଦରକୁ ଫେରିବା ପରେ ନୀତିଶ କୁମାର ବ୍ୟକ୍ତିଗତ ଭାବରେ ତାଙ୍କୁ ବିଦାୟ ଦେବାକୁ ଯାଇଥିଲେ। ଏହି ସମୟରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ିଥିଲେ। ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ଅଟକାଇ ଦେଇଥିଲେ, ଯାହା ସୋସିଆଲ ମିଡିଆରେ ରାଜନୈତିକ ଶିଷ୍ଟାଚାର ଉପରେ ଏକ ସୁସ୍ଥ ବିତର୍କ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ନୂତନ ସରକାରଙ୍କ ୨୬ ଜଣିଆ କ୍ୟାବିନେଟରେ ଅଭିଜ୍ଞ ନେତାଙ୍କ ସହିତ ୧୦ ଜଣ ନୂଆ ମୁହଁ ସାମିଲ କରାଯାଇଛି। ଜାତି ଏବଂ ଆଞ୍ଚଳିକ ସନ୍ତୁଳନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ଅବସରରେ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଗାମୁଛା ହଲାଇଲେ
ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଶୀ ଶୈଳୀ ପୁଣି ଥରେ ପ୍ରଦର୍ଶିତ ହୋଇଥିଲା। ଶପଥ ଗ୍ରହଣ ଉତ୍ସବ ଶେଷ ହେବା ମାତ୍ରେ ସେ କିଛି ସମୟ ପାଇଁ ଗାମୁଛା ହଲାଇଲେ। ତାଙ୍କୁ ଏପରି କରିବା ଦେଖି ଉପସ୍ଥିତ ଲୋକେ ବେଶ ଉତ୍ସାହିତ ହୋଇଥିଲେ। ଏହା ପୂର୍ବରୁ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଭୟଙ୍କୁ ପରସ୍ପର ମଧ୍ୟରେ ନିରନ୍ତର କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲା।
Also read: ଦିଲ୍ଲୀ ପୂର୍ବରୁ ଜୟପୁର ଓ ଅହମ୍ମଦାବାଦ ସିରିୟଲ ବ୍ଲାଷ୍ଟରେ ଅଲ-ଫଲାହ କନେକ୍ସନ ! ଚାଞ୍ଚଲ୍ୟକର ଖୁଲାସା