ପୁରୀ: ଶୁକ୍ରବାର ବସିଥିବା ପୁରୀ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସେବାୟତଙ୍କ ଦରମା ବୃଦ୍ଧି, ସେବାୟତଙ୍କ କନ୍ୟା ବିବାହ ରାଶି ବୃଦ୍ଧି, ଏଟିଏମରେ ଶ୍ରୀମନ୍ଦିରକୁ ଦାନ, ରତ୍ନ ଅଳଙ୍କାର ଗଣତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାରି ଘଣ୍ଟା ଧରି ବୈଠକ ହୋଇଛି । ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । କାଠ ରାମ୍ପ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭାବିତ କରିବ ନାହିଁ ସେନେଇ ପୁର୍ନବାର ଟେକ୍ନିକାଲ୍ କମିଟି ଅନୁଧ୍ୟାନ କରିବ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନ ଅଳଙ୍କାର ସୂଚନା ଦେଇଛନ୍ତି ।
ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣତିମଣତି ନେଇ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଯେତେବେଳେ ଶ୍ରୀମନ୍ଦିରରେ ଅଧିକ ନୀତିକାନ୍ତି ନ ଥିବ ସେତେବେଳେ ଗଣତି କରାଯିବ । ଫଳରେ ସୁରୁଖରେ ଗଣତିମଣତି ହୋଇପାରିବ । ଆଗକୁ ମହାପ୍ରଭୁଙ୍କ ପହିଲିଭୋଗ ନୀତି ସହିତ ଇଂରାଜୀ ନୂତନ ବର୍ଷ ଆସୁଛି । ତେଣୁ ଏହି ସମୟ ନୀତି ବହୁଳ ଥିବାରୁ ପର୍ଯ୍ୟାୟକ୍ରମେ ରତ୍ନ ଅଳଙ୍କାର ଗଣତି କରାଯିବ । ମୁଖ୍ୟ ପ୍ରଶାସକ ଏବଂ କମିଟିର ସଦସ୍ୟଙ୍କୁ ନେଇ ଅତିରିକ୍ତ ଏସଓପି ପ୍ରସ୍ତୁତ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ଵ ଦିଆଯାଇଛି ।
ସେବାୟତଙ୍କ ପେନସନ୍ ରାଶି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ଆଗାମୀ ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ୍ ଲାଗୁ ହେବ । ସେହିପରି ସେବାୟତ କନ୍ୟାମାନଙ୍କ ବିବାହ ରାଶିକୁ ୧ ଲକ୍ଷକୁ ବୃଦ୍ଧି କରାଯିବ । ପୂର୍ବରୁ ଏହି ରାଶି ୫୦ ହଜାର ଟଙ୍କା ଥିଲା । ଏହା ସହିତ ସେବାୟତଙ୍କ ପୁଅଙ୍କ ବ୍ରତଘର ପାଇଁ ପୂର୍ବରୁ ପ୍ରଦାନ କରାଯାଉଥିବା ୩୦ ହାଜର ଟଙ୍କାକୁ ୫୦ ହଜାରକୁ ବୃଦ୍ଧି କରାଯାଇଛି ।
ଦାନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ କମ୍ପ୍ୟୁଟର୍ ରସିଦ ପ୍ରଦାନ କରାଯିବ । ଆଉ ହାତ ଲେଖା ରସିଦ ଭକ୍ତମାନଙ୍କୁ ଦିଆଯିବ ନାହିଁ । ଫଳରେ ଆଉ କେହି ଦୁର୍ନୀତି କରିପାରିବେ ନାହିଁ ।
ସେହିପରି ଏଟିଏମ ଜରିଆରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ସ୍ୱଇଚ୍ଛାରେ ଦାନ କରି ପାରିବେ । ପୁରୀରେ ଥିବା ସମସ୍ତ ଏଟିଏମରେ ଶ୍ରୀମନ୍ଦିରକୁ ସ୍ୱଇଚ୍ଛାରେ ଦାନ କରିବାକୁ ଅପସନ୍ ରହିବ । ଏ ନେଇ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବ । ଟଙ୍କା ଉଠାଇବା ସମୟରେ ରସିଦ ବାହାରିବା ପୂର୍ବରୁ ଶ୍ରୀମନ୍ଦିରକୁ ସ୍ୱଇଚ୍ଛାରେ ଦାନ ପାଇଁ ମେସେଜ୍ ଆସିଲେ ଭକ୍ତମାନେ ଚାହିଁଲେ ହଁ କିମ୍ବା ନାହିଁ ବିକଳ୍ପ ବାଛିପାରିବେ । ଯଦି ହଁ ବାଛିବେ ତାହା ହେଲେ ସେମାନେ ଶ୍ରୀମନ୍ଦିରକୁ ଏଟିଏମ ମାଧ୍ୟମରେ ଦାନ କରିପାରିବେ । ଏହା ପରେ ତାଙ୍କ କାର୍ଡରୁ ଟଙ୍କା କଟିଯିବ ।
ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲାଯିବାକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଖୁବ ଶୀଘ୍ର ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ । ମାହାଲ ଦିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ଏହାର ଦାୟିତ୍ଵ ନେବ ।
ଡିଜିଟାଲ୍ ହୁଣ୍ଡି ମାଧ୍ୟମରେ ଦାନ ଗ୍ରହଣ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ପରିଚାଳନା କମିଟି ସ୍ୱାଗତ ଜଣାଇଛି । ଏହା ଦ୍ୱାରା ଆୟ ବୃଦ୍ଧି ହୋଇପାରିବ ।
ସେହିପରି ଶ୍ରୀଜୀଉଙ୍କ ସ୍ୱର୍ଣ୍ଣ ଅଳଙ୍କାରର ଆଉ ଗୋଟିଏ ସେଟ୍ ତିଆରି ପ୍ରସ୍ତାବ ବୈଠକରେ ଗୃହୀତ ହୋଇଛି । ଭକ୍ତମାନେ ଚାହିଁଲେ ସ୍ୱଇଚ୍ଛାରେ ରତ୍ନ ଅଳଙ୍କାର ପାଇଁ ଦାନ କରିବେ । ସ୍ଵର୍ଣ୍ଣ ଅଳଙ୍କାର ଦାନ ଯୋଜନାରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ ।
ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି । ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧିନକୁ ଆସିବ ସେ ନେଇ ଆଲୋଚନା ଚାଲିଛି । ନିୟମ ଅନୁସାରେ, ରୂପା ଇଟା ଅଣାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ।
ବୈଠକରେ ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା ହୋଇଛି । ଭାରତ ଓ ଭାରତ ବାହାରେ ସ୍ନାନଯାତ୍ରା ଗୋଟିଏ ଦିନରେ କରିବା ପାଇଁ ଇସ୍କନ ସହମତ ହୋଇଛି । କିନ୍ତୁ ପୁରୀ ଅନୁଯାୟୀ ତିଥିରେ ଭାରତ ବାହାରେ ରଥଯାତ୍ରା ପାଇଁ ଏଯାଏଁ ଇସ୍କନ ସହମତି ଦେଇ ନାହିଁ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ପ୍ରସ୍ତାବିତ ଜାଗାରୁ ଜବରଦଖଲ ହଟିଛି ଓ ଓବିସିସିକୁ ପାଚେରି ବୁଲାଇବା ପାଇଁ କୁହାଯାଇଛି ।
ପୁରୀ ବାସିନ୍ଦାଙ୍କ ଦର୍ଶନ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଉପରେ ଆଲୋଚନା ହୋଇଛି । ଅନ୍ୟ ଭକ୍ତମାନଙ୍କର ଯେଭଳି କିଛି ଅସୁବିଧା ନ ହେବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସବ କମିଟି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ଏସଓପି ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।