ନୂଆଦିଲ୍ଲୀ: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ଜିତିଥିବା ଭେନଜୁଏଲାର ବିପକ୍ଷୀ ନେତ୍ରୀ ମାରିୟା କୋରୀନା ମଚାଡୋଙ୍କ ପାଇଁ ଅଡ଼ୁଆ ବଢ଼ିଛି । ତାଙ୍କୁ ଏବେ ଧମକ ମିଳୁଛି । ଯଦି ସେ ଦେଶ ବାହାରକୁ ଯାଆନ୍ତି ତେବେ ତାଙ୍କୁ ପଳାତକ ଘୋଷଣା କରିଦିଆଯିବ ବୋଲି କହିଛନ୍ତି ଭେନଜୁଏଲା ଅଟର୍ଣ୍ଣି ଜେନେରାଲ ।
୫୮ ବର୍ଷିୟା ମାରିୟା ଭେନଜୁଏଲାରେ ଗଣତନ୍ତ୍ର ଏବଂ ମାନବ ଅଧିକାରୀ ପାଇଁ ଲଢ଼େଇ କରୁଛନ୍ତି । ସେ ସରକାରଙ୍କୁ ବିରୋଧରେ ଅନେକ ଥର ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି । ତାଙ୍କ ନାମରେ ଅନେକ ଅପରାଧିକ ମାମଲା ରୁଜୁ କରାଯାଇଛି । ଏମିତିକି ଆତଙ୍କବାଦୀ ସହିତ ଜଡ଼ିତ ଥିବା କିଛି ମାମଲା ରହିଛି । ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ନିଜ ଦେଶରେ ଆତ୍ମ ଗୋପନ କରିଥିଲେ । ନୋବେଲ ଶାନ୍ତି ପୁରସ୍କାର ବିଜେତା ଘୋଷଣା ହେବା ପରେ ସରକାର ତାଙ୍କୁ ପୁରସ୍କାର ଗ୍ରହଣ ନ କରିବାକୁ ଯିବାକୁ କହିଛନ୍ତି । ଆଟର୍ଣ୍ଣି ଜେନେରାଲ ତାରେକ ୱିଲିୟମ ସାବ୍ ଚେତାବନୀ ଦେଇଛନ୍ତି ଯେ ମାରିୟା ଅନେକ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି । ଯଦି ସେ ପୁରସ୍କାର ନେବାକୁ ଦେଶ ବାହାରକୁ ଗସ୍ତ କରନ୍ତି ତେବେ ତାଙ୍କୁ ପଳାତକ ଘୋଷଣା କରିଦିଆଯିବ । କାରଣ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର, ଘୃଣା ଏବଂ ଆତଙ୍କବାଦ ଭଳି ମାମଲା ରହିଛି ।
ତେବେ ଏହାର କାରଣ ଆମେରିକା ବୋଲି କୁହାଯାଉଛି । କାରଣ ମାରିୟା କୈରେୱିୟାଈ ସମୁଦ୍ର ନିକଟରେ ଆମେରିକାର ସେନା ମୁତୟନ ହେବାକୁ ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କୈରେୱିୟାଈ ସାଗର କୂଳରେ ଏୟାରକ୍ରାଫ୍ଟ, ଯୁଦ୍ଧ ପୋତ ଏବଂ ଯୁଦ୍ଧ ବିମାନ ମୁତୟନ କରିଛନ୍ତି । ଭେନଜୁଏଲା ସରକାର ବିରୁଦ୍ଧରେ ଆଣ୍ଟି-ଡ୍ରଗ୍ ମିଶନ ବୋଲି ଆମେରିକା ଘୋଷଣା କରିଛନ୍ତି ।
ଚଳିତ ବର୍ଷ ସମସ୍ତ ବର୍ଗରେ ନୋବେଲ ପୁରସ୍କାର ଘୋଷଣା ହୋଇସାରିଛି । ଆସନ୍ତା ଡିସେମ୍ବର 10 ତାରିଖରେ ଓସ୍ଲୋରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ମାରିୟା ମଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ।