ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର। ଅର୍ଥ, ଆଇଟି ସମେତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି।
ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ କାପାବିଲିଟି ସେଣ୍ଟର। କାପାବିଲିଟି ସେଣ୍ଟର ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କାର ନିବେଶ ଆସିବା ସମ୍ଭାବନା ରହିଛି। ଏଥିରେ ଓଡ଼ିଶାରେ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର ହବ ହେବ। ଭୁବନେଶ୍ୱରର , କଟକ, ପୁରୀ, ପାରାଦୀପ, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ହବ୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ଜଳ ପ୍ରଦୂଷଣ ନିୟମରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି ବୃଦ୍ଧି ହେବ। ଜନଜାତୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଉଛି। ଏଣିକି ଛାତ୍ରଙ୍କୁ ୧୧ ହଜାର ଟଙ୍କା ବଦଳରେ ୧୬ ହଜାର ଟଙ୍କା ଏବଂ ଛାତ୍ରୀଙ୍କୁ ୧୭ ହଜାର ଟଙ୍କାର ବୃତ୍ତି ମିଳିବ।
ରାଜ୍ୟରେ ବାଲି ଓ ପଥର ଖାଦନ ପାଇଁ ନିଲାମ ହେବ ନାହିଁ। ଏଣିକି ଇ-ଲଟେରୀ ମାଧ୍ୟରେ ଲିଜ୍ ପ୍ରଦାନ କରାଯିବ। ଲଘୁ ଖଣିଜ ସମ୍ପଦର ଆବଣ୍ଟନରେ ଏହି ନୂଆ ନିୟମକୁ ମଂଜୁରୀ ପ୍ରଦାନ କରିଛନ୍ତି କ୍ୟାବିନେଟ୍। ଲଘୁ ଖଣିଜ ଉତ୍ସଗୁଡିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ବରାନ୍ବିତ କରିବା ସହ ଯୋଗାଣ-ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଏବଂ ସୁଲଭ ମୂଲ୍ୟରେ ଲୁଘୁ ଖଣିଜ ଯୋଗାଣ ପାଇଁ ଏହି ନିଷ୍ପତ୍ତି ସହାୟକ ହେବ ବୋଲି କୁହାଯାଉଛି। ଓଡ଼ିଶାରେ ୟୁନିଫର୍ମ ସେବାରେ ନିଯୁକ୍ତି ପରୀକ୍ଷା ପାଇଁ ଗୋଟିଏ ଆୟୋଗ ରହିବ। ଗଠନ ହେବ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ। ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗରେ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ଏହି ଆୟୋଗ ପରୀକ୍ଷା କରିବ। ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।
ଅଧିକ ପଢନ୍ତୁ: ବାଲିଯାତ୍ରା ପଡ଼ିଆକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ; ୭ ଦିନ ଭିତରେ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ