ସମ୍ବଲପୁର/ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ନିଜେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଆମ୍ବୁଲାନ୍ସ ଆଟେଡାଣ୍ଟଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ଚାଳକଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବୌଦ୍ଧରେ ସୁଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିଲେ । ଉକ୍ତ ରୋଗୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିଲା । ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ବୌଦ୍ଧରୁ ବୁର୍ଲାକୁ ନେଇ ଆସୁଥିଲା । ଯୁଯୁମରା ଥାନା ୫୫ ନମ୍ବର ଜାତୀୟ ରାଜପଥ ଫୁଲଝରଣ ନିକଟରେ ରାସ୍ତାରେ କଡ଼ରେ ଛିଡ଼ା ହୋଇଥିବା ଏକ ବାଲି ବୋଝେଇ ହାଇୱାକୁ ଆମ୍ବୁଲାନ୍ସ ଶକ୍ତ ଧକ୍କା ଦେଇଥିଲା । ଫଳରେ ଆଗରେ ବସିଥିବା ଡ୍ରାଇଭର, ଫାର୍ମାସିଷ୍ଟ ଓ ଆଟେଡାଣ୍ଡ୍ ଚାପି ହୋଇଯାଇଥିଲେ । ସେପଟେ ପଛରେ ବସିଥିବା ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡ୍ରାଇଭର, ଫାର୍ମାସିଷ୍ଟ ଓ ଆଟେଡାଣ୍ଡଙ୍କୁ ଉଦ୍ଧାର କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ଏହା ପରେ ସମସ୍ତଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଯେଉଁଭଳି ଭାବେ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି ତାହା କେତେ ଭୟଙ୍କର ଅନୁମାନ କରାଯାଉଛି । ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କୁହୁଡ଼ି ଏବଂ ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ପୋଲିସ ଉକ୍ତ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।
ସେପଟେ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଅଞ୍ଚଳରୁ ଏକ ଦୁର୍ଘଟଣା ଖବର ଆସିଛି । କନକଦୁର୍ଗା ମନ୍ଦିର ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛକୁ ଧକ୍କା ଦେଇଛି । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବାବେଳେ କାହାର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । କେବଳ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦାରଖ କରୁଛି ।