ଜଗତସିଂହପୁର: ଦୀର୍ଘ ୭ ଦିନର ଛକାପଞ୍ଝା ପରେ ଶେଷରେ ସିକନ୍ଦର ଆଲାମ୍ ଓରଫ୍ ସିକେକୁ ଜଗତସିଂହପୁର ପୋଲିସ ଗିରଫ କରିବାରେ ସଫଳ ହୋଇଛି । ବାଂଲାଦେଶୀଙ୍କୁ ରଖିବା ମାମଲାରେ ସିକନ୍ଦରକୁ ଯାଜପୁରରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତା ନିକଟରୁ ବିଭିନ୍ନ ପରିଚୟ ପତ୍ର, ପାସପୋର୍ଟ ଆଦିକୁ ଦବତ କରାଯାଇଛି । ଖାଲିସେତିକି ନୁହେଁ ସିକନ୍ଦରର ପୁଅ ଏବଂ ଭଣଜାକୁ ପୋଲିସ ଓଠାଇ ନେଇଛି ।
ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବଜାର ନିକଟସ୍ଥ ଧନୀପୁର ବେହରାମପୁର ବସ୍ତିରେ ସିକନ୍ଦର ଅଲ୍ଲୀ ବେଆଇନ ଘର କରି ବାଂଲାଦେଶୀଙ୍କୁ ରଖିଥିଲା । ସରକାରୀ ଜମି ଉପରେ ପ୍ରାୟ ୧୦ ବଖରା ଘର କରିଥିଲା ସିକନ୍ଦର । ପୋଲିସ ଚଢ଼ାଉ ସମୟରେ ସିକନ୍ଦର ଫେରାର ହୋଇଯାଇଥିଲା । ଏହା ପରେ ପୋଲିସ ଜବର ଦଖଲ ଉଚ୍ଛେଦ କରିବା ସହିତ ଘରୁ ବନ୍ଧୁକ ସହିତ ମାରଣାସ୍ତ୍ର ଜବତ କରିଥିଲା ।
ସିକନ୍ଦରକୁ ଧରିବାକୁ ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ କରିଥିଲା । ଗତକାଲି ରାତିରେ ସିକନ୍ଦର ଯାଜପୁର ଟାଉନରେ ଥିବା ବିଶେଷ ସୂତ୍ର ଖବର ପାଇ ଧରିଥିଲା । ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଯୋଗ୍ୟ, ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁରରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଖବର ପାଇ ପୋଲିସ ଚଢ଼ଉ କରିଥିଲା । ଭଡ଼ା ଘରେ ୩୦ରୁ ଅଧିକ ବାଂଲାଦେଶୀ ବେଆଇନ ଭାବରେ ରହୁଥିବା ସୂଚନା ମିଳିଥିଲା । ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାସ, ତରିକୁନ୍ଦ ବିଟ୍ ହାଉସ୍ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କ ସମେତ ୫ ଜଣ ଚଢ଼ଉ କରିବା ସମୟରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା । ଧସ୍ତାଧସ୍ତି ସମୟରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାର ସୁଯୋଗ ନେଇ ସିକନ୍ଦର ଓ ତା ଭାଇ ମୋତାଲିଫ ଫେରାର ହୋଇଯାଇଥିଲେ । ଚଢ଼ାଉ ବେଳେ ମାରଣାସ୍ତ୍ର ମଧ୍ୟରେ ଗୋଟିଏ ବନ୍ଧୁକ ଏବଂ ୫ଟି ଆନ୍ଧ୍ର କଟୁରି ସହିତ ଅନେକ ଆପତ୍ତି ଜନକ ସାମଗ୍ରୀ ପୋଲିସ ଜବତ କରିଥିଲା ।
ପରଦିନ ସକାଳେ ଅତିରିକ୍ତ ଏସପି, ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ସହିତ ବେହରାମପୁର ବସ୍ତିରେ ଚଢ଼ଉ ହୋଇଥିଲା । ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସିକନ୍ଦରର ଦୁଇ ଭଉଣୀକୁ ପୋଲିସ ଗିରଫ କରିଥିଲା । ଏହା ପରେ ହୋଇଥିଲା ବୁଲଡୋଜର୍ ଆକ୍ସନ । ସରକାରୀ ଜମି ଉପରେ ତିଆରି ହୋଇଥିବା ୧୦ ବଖରା ଘରକୁ ମାଟିରେ ମିଶାଇ ଦିଆଯାଇଥିଲା ।