କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ମୃତ୍ୟୁ କୁ ୬ ଦିନ ବିତିଛି। ହେଲେ ବିବାଦ ନିଆଁ ହୁତୁହୁତୁ ହୋଇ ଜଳୁଛି। ନିଇତି ନୂଆ ଖୁଲାସା, ନୂଆ ଅଭିଯୋଗ ସାମ୍ନାକୁ ଆସୁଛି। ତେବେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଓଲିଉଡ୍ ଜଗତରେ ଖେଳିଯାଇଛି ଶୋକର ଛାୟା। ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ଷ୍ଟେଜ୍ ସୋ' କରୁଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ୍ ହେଉଛି।
ମେଡିକାଲରେ ହ୍ୟୁମାନ ଆଡମିଟ୍ ହେବା ଦିନ ମଧ୍ୟ ପ୍ରୋଗ୍ରାମ୍ ରଖାଯାଇଥିଲା। ମେଡିକାଲରେ ଚିକିତ୍ସା କଥା ବୁଝିବା ପରିବର୍ତ୍ତେ ଦୁଇ ମ୍ୟାନେଜର ସାଇଡ୍ ହୋଇଯାଇଥିଲେ। ଅନ୍ୟପଟେ ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କୁ ମ୍ୟାନେଜର ଦୀନେଶ ଯେଉଁଭଳି ଅପଶବ୍ଦ କହି ଦୁର୍ବବ୍ୟହାର କଲେ, ତାହା ତାଙ୍କ ଷଡ଼ଯନ୍ତ୍ରର ଚେହେରା ବୋଲି ଅଭିଯୋଗ ହୋଇଛି। ଏହାରି ଭିତରେ ଏବେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି, ଘଟଣାର ତଦନ୍ତ କରାଗଲେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜଣାପଡ଼ିବ।
ପ୍ରେମଆନନ୍ଦ ଯିଏଥିଲେ ହ୍ୟୁମାନଙ୍କ ଗୁରୁ, ଇଣ୍ଡଷ୍ଟ୍ରିରେ ଯଦି ହ୍ୟୁମାନ କାହାକୁ ଅଧିକ ଭୟ, ଭକ୍ତି କରୁଥିଲେ ସେ ହେଲେ ମ୍ୟୁଜିକ୍ ଗୁରୁ ପ୍ରେମଆନନ୍ଦ। ସେ ହ୍ୟୁମାନଙ୍କୁ ଭଲରେ ଜାଣିଥିଲେ। ହ୍ୟୁମାନଙ୍କ କଥା ତାଙ୍କ ପାଖେ କିଛି ଅଛପା ନଥିଲା। ସେହି ପ୍ରେମଆନନ୍ଦ ଏବେ କହୁଛନ୍ତି ତାଙ୍କ ମୃତ୍ୟୁର ତଦନ୍ତ ହେଉ। ଗୋଟେ ପ୍ରକାର ଏହାବି କିଛି ସୂଚାଉଛି ପ୍ରେମଆନନ୍ଦ କିଛି ଜାଣିଛନ୍ତି।
ତେବେ ପ୍ରେମଆନନ୍ଦ କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋଶନାଲ ଟ୍ରାପ କରାଯାଉଥିଲା। ତାଙ୍କ ଶାରୀରିକ ଅସୁସ୍ଥତା କଷ୍ଟ ଦେଉଥିଲା। ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ। ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ ନୁହେଁ। ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ। ପ୍ରେମଆନନ୍ଦ ଆହୁରି ମଧ୍ୟ କହିଛନ୍ତି, ହ୍ୟୁମାନ ସୋସିଆଲ ମିଡିଆ ଟ୍ରୋଲ୍କୁ ବହୁତ ଡରୁଥିଲେ। ତେବେ ତାଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବା ବୋଲି କହିଛନ୍ତି।
ଅଧିକ ପଢନ୍ତୁ: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା; ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା