ଭୁବନେଶ୍ୱର: ଆଜି ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପରବର୍ତ୍ତି ସମୟରେ ଅଧିକା ଘନିଭୂତ ହୋଇ ଆହୁରି ବଳ ସଂଗ୍ରହ କରାଯିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅମଳ ସମୟ ପାଖେଇ ଆସୁଥିବାରୁ ଚିନ୍ତାରେ ଚାଷୀମାନେ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, "ଆଗାମୀ 20ରୁ 22 ତାରିଖ ମଧ୍ୟରେ ଳଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହା ଫଳରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଉଛି । ଚାଷୀମାନେ ନିଜର ଧାନ ଅମଳ କରିନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହା ସହିତ ଚିନାବାଦାମ, ସୋରିଷ ଓ ଅନ୍ୟାନ୍ୟ ଚାଷ କରିଥିବା ଚାଷୀମାନେ ଜମିରେ ଜଳ ନିଷ୍କାସନ ସୁବିଧା କରିବା ଆବଶ୍ୟକ । ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସମୟରେ ଆଗାମୀ ଚାଷ ପାଇଁ ମଞ୍ଜି ବୁଣିବାରୁ ନିବୃତ୍ତ ରୁହନ୍ତୁ।"
ସେପଟେ ବିଭିନ୍ନ ପାଣିପାଗ ମଡେଲ ଆକଳନ ଅନୁଯାୟୀ, ୨୫-୨୬ ତାରିଖ ବେଳକୁ ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ସ୍କାଏମେଟ। ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟା ସୃଷ୍ଟି ପରେ ପୂର୍ବ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି।
ଫଳରେ ନଭେମ୍ବର ୨୭ରୁ ୨୯ ତାରିଖ ମଧ୍ୟରେ ତାମିଲନାଡୁ, ଆନ୍ଧ୍ର ଓ ଓଡ଼ିଶା ଉପରେ ମାଡ଼ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି କୁହାଯାଉଛି।
ତେବେ ଅବପାତ କିମ୍ବା ଗଭୀର ଅବପାତ ପରେ ସଠିକ ଗତିପଥ ଜଣାପଡ଼ିବ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ସାଇକ୍ଲୋନ ନେଇ ଏଯାଏ କିଛି ଆକଳନ କରିନାହିଁ। ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି।