ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଭଦ୍ରକ ଦୋବଲ ସଭାରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୧୦୧ କୋଟି ଟଙ୍କା ବ୍ୟୟରେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ ସେନାପତିଆ ପୋଖରୀ ପାରିପାର୍ଶ୍ବିକ ଉନ୍ନତିକରଣ, ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ, ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି।
ସେହିପରି ଜଳସଂପଦ ବିଭାଗ ପକ୍ଷରୁ ୨୫.୮୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୧୦ଟି ପ୍ରକଳ୍ପ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୩ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ୨୧.୨୫କୋଟି ଟଙ୍କାର ୩ଟି ପ୍ରକଳ୍ପ ଓ ଡ୍ରେନେଜ୍ ବିଭାଗ ପକ୍ଷରୁ ୪.୧୧ କୋଟି ଟଙ୍କାରେ ହେବାକୁ ଥିବା ୨ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଭଦ୍ରକବାସୀଙ୍କ ପାଇଁ ଏହି ପ୍ରକଳ୍ପ ଭେଟିଦେଇଥିବାରୁ ଜିଲ୍ଲାବାସୀ ମଧ୍ୟ ବେଶ ଖୁସି ଅଛନ୍ତି।
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲ୍ଲାରେ ରାତ୍ରୀଯାପନ ପରେ ଆଜି ସକାଳୁ ଧାମନଗର ଅଭିମୁଖେ ଯାତ୍ରା କରିଥିଲେ। ଭଦ୍ରକରୁ ଆରମ୍ଭ କରି ଧାମନଗର ଛକ, ଜୟ ନଗର, ଦୋବଲରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପରେ ସେ ଐତିହାସିକ ଗୋହିରା ଟିକୀରୀ ଯାଇ ଉତ୍କଳର ଶେଷ ସମ୍ରାଟ ମୁକୁନ୍ଦ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ସେଠାରୁ ମଠକୁ ଯାଇ ଗୋହିରା ଟିକୀରୀ ଗବେଷଣା କେନ୍ଦ୍ର ଓ କଳା ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବିତ ଅର୍କିଟେକ୍ ଭିୟୁ ଦେଖିଥିଲେ ଧର୍ମେନ୍ଦ୍ର। ମାଆ ପାଇଁ ଗଛଟିଏ ମଧ୍ୟ ଲଗାଇଥିଲେ କେନ୍ଦ୍ରମନ୍ତ୍ରୀ।
ଦୋବଲରେ ଜନସଭାକୁ ସମ୍ବୋଧିତ କରିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ, ବାଲେଶ୍ଵର ବିଧାୟକଙ୍କ ସହ ବହୁ ଅତିଥି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରା ପରେ କାଳିପଡ଼ିଆ ପଡିଆ ଠାରେ ଲଳିତ କଳା ଏକାଡେମୀ ଦ୍ଵାର ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲିବା ସହ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ।
ନଜର ପକାନ୍ତୁ ଭଦ୍ରକରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରମୁଖ ପ୍ରକଳ୍ପର ଘୋଷଣା ସମ୍ପର୍କରେ:
- ଶିକ୍ଷା: ରାଷ୍ଟ୍ରୀୟ ଉଚ୍ଚଶିକ୍ଷା ଅଭିଯାନ ଅଧୀନରେ ଧାମନଗର କଲେଜ ବିକାଶ ପାଇଁ ୧୫ କୋଟି
- ପର୍ଯ୍ୟଟନ: ସେନାପାଟିଆ ପୋଖରୀ କ୍ଷେତ୍ର ବିକାଶ ପାଇଁ ୨.୪୬ କୋଟି
- ସଂସ୍କୃତି: ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ ପାଇଁ ୧୦ କୋଟି
- ଗବେଷଣା ଏବଂ କଳା: ଗୋହିରାଟିକିରି ଗବେଷଣା କେନ୍ଦ୍ର ଏବଂ ଆର୍ଟ ଗ୍ୟାଲେରୀ ପାଇଁ ୫ କୋଟି
- ଜଳସମ୍ପଦ: ୧୦ଟି ପ୍ରକଳ୍ପ ପାଇଁ ୨୫.୮୫ କୋଟି
- ଗୃହ ଏବଂ ନିର୍ମାଣ: ୩ଟି ପ୍ରକଳ୍ପ ପାଇଁ ୧୮ କୋଟି
- ଗ୍ରାମୀଣ ବିକାଶ: ୩ଟି ପ୍ରକଳ୍ପ ପାଇଁ ୨୧.୨୫ କୋଟି
- ଜଳ ନିଷ୍କାସନ: ୨ଟି ପ୍ରକଳ୍ପ ପାଇଁ ୪.୧୧ କୋଟି
ଅଧିକ ପଢନ୍ତୁ: ବଢ଼ିଲା ଶ୍ରୀମନ୍ଦିର ସେବାୟତଙ୍କ ଭତ୍ତା, ଏଟିଏମରେ ଦାନ ପାଇଁ ହେବ ବ୍ୟବସ୍ଥା