ଗୌହାଟୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଗୌହାଟିରେ ଖେଳାଯାଉଛି। ଦ୍ୱିତୀୟ ଦିନର ଖେଳ ଶେଷରେ, ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତ କୌଣସି ୱିକେଟ୍ ନ ହରାଇ ୯ ରନ୍ କରିଥିଲା। ଯଶସ୍ୱୀ ଜୟସ୍ୱାଲ ଏବଂ କେଏଲ ରାହୁଲ ୬.୧ ଓଭରରେ ଗୋଟିଏ ବି ୱିକେଟ୍ ପଡ଼ିବାକୁ ଦେଇ ନାହାନ୍ତି। ଜୟସ୍ୱାଲ ୭ ରନ୍ ଏବଂ ରାହୁଲ ୨ ରନ୍ କରି ଅପରାଜିତ ରହିଛନ୍ତି। ଭାରତ ଭ୍ରମଣକାରୀ ଦଳକୁ ୪୮୦ ରନ ପଛରେ ରହିଛି।
ଏାହ ପୂର୍ବରୁ ସାନୁରନ ମୁଥୁସାମି ୧୦୯ ରନର ଏକ ଚମତ୍କାର ଇନିଂସ ସହିତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ମାର୍କୋ ଜାନସେନ୍ ତାଙ୍କର ଶତକରୁ ବଞ୍ଚିତ ହୋଇଥିଲେ ଏବଂ ୯୩ ରନର ଧୂଆଁଧାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୨୪୭ ରନ୍ କରିଥିଲା। ଦ୍ୱିତୀୟ ଦିନରେ ଶେଷ ଚାରି ଜଣ ବ୍ୟାଟର ମିଶି ୨୪୨ ରନ୍ ଯୋଡ଼ିଥିଲେ। ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ପ୍ରତ୍ୟେକ ୨ ୱିକେଟ୍ ନେଇଥିଲେ।
ଆଜି ଦ୍ୱିତୀୟ ଦିନର ଖେଳ ୨୪୬/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ଥିଲେ ମୁଥୁସାମି ଓ କାଇଲ ଭେରେନ । ଉଭୟ ପ୍ରଥମ ସେସନରେ ଦମଦାର ବ୍ୟାଟିଂ କରି ଭାରତକୁ କୌଣସି ସୁଯୋଗ ଦେଇ ନ ଥିଲେ । ଦୁଇ ବ୍ୟାଟର ସପ୍ତମ ୱିକେଟ ଭାଗିଦାରୀରେ ୮୮ ରନ ଯୋଡିଥିଲେ । ଭେରେନଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିଥିଲେ ରବୀନ୍ଦ୍ର ଜାଡେଜା । ସେ ୪୫ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଏହା ପରେ ଆଶା କରାଯାଉଥିଲା ଦକ୍ଷିଣ ଆଫ୍ରିକା ଇନିଂସ ଶୀଘ୍ର ସମାପ୍ତ ହେବ । କିନ୍ତୁ ଅନ୍ୟପଟେ ମୁଥୁସାମି ଦମଦାର ବ୍ୟାଟିଂ କରି ଶତକ ଅର୍ଜନ କରିଛନ୍ତି । ସେ ଓ ମାର୍କୋ ଜନସେନ ଅଷ୍ଟମ ୱିକେଟରେ ଏ ପର୍ଯ୍ୟନ୍ତ ୯୭ ରନ ଯୋଡି ଦଳର ସ୍କୋରକୁ ୪୩୧ ରନରେ ପହଞ୍ଚାଇଥିଲେ । ଏହା ପରେ ମାର୍କୋ ଜନସେନ ଦିନିକିଆ ଶୈଳୀରେ ବ୍ୟାଟିଂ କରି ୯୧ ବଲରୁ ୯୩ ରନର ଇନିଂସ ଖେଳିଥିଲେ। ଏଥିରେ ୬ ଚୌକା ଓ ୭ ଛକା ସାମିଲ୍। ଏହି ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ୪୮୯ ରନ କରି ପାରିଛି।
ପ୍ରଥମ ଦିନର ଶେଷ ସେନସରେ ଭାରତ ୪ ୱିକେଟ ନେଇ ଯେଉଁଭଳି ପ୍ରତ୍ୟାବର୍ତ୍ତନ କରିଥିଲା, ଲାଗୁଥିଲା ଭ୍ରମଣକାରୀ ଦଳ ୩୦୦ ରନ ଭିତରେ ସୀମିତ ରହିବ । କିନ୍ତୁ ମୁଥୁସାମି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନିଜ ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି। ପ୍ରଥମ ଦିନ ଖେଳରେ ଆଡନ ମାରକ୍ରମ ୩୮ ରନ, ରିୟାନ ରିକଲଟନ ୩୫, ଟ୍ରିଷ୍ଟନ ଷ୍ଟବ୍ସ ୪୯, ଅଧିନାୟକ ତେମ୍ବ ବାଭୁମା ୪୧ରନ ସମସ୍ତେ ଭଲ ବ୍ୟାଟିଂ କରିଥିଲେ।