ନୂଆଦିଲ୍ଲୀ: ଗୌହାଟୀ ଟେଷ୍ଟରେ ବ୍ୟାକଫୁଟରେ ଭାରତ । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମଧ୍ୟାହ୍ଣ ଭୋଜନ ସୁଦ୍ଧା ୪ ୱିକେଟ୍ ହରାଇ ୨୨୦ ରନ କରିଛି । ଦଳ ଭାରତଠୁ ୫୦୮ ରନର ଅଗ୍ରଣୀ ହାସଲ କରିଛି । ତଥାପି ଦକ୍ଷିଣ ଆଫ୍ରିକା ପାଳି ସମାପ୍ତି ଘୋଷଣା କରିନି । ଏକ ପ୍ରକାରର ଏହି ଟେଷ୍ଟ ଦକ୍ଷିଣ ଆଫ୍ରିକା ସପକ୍ଷରେ ଅଛି । ମ୍ୟାଚ୍ ଡ୍ର ରହିପାରେ କିମ୍ବା ଭାରତ ହାରିପାରେ । କେବଳ କୌଣସି ଚମତ୍କାର ହିଁ ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇ ପାରିବ । ଭାରତକୁ ଜିତିବାକୁ ହେଲେ ଏବେ ୫୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡିବ, ଯାହା ଆଜି ପର୍ଯ୍ୟନ୍ତ କ୍ରିକେଟ୍ ଇତିହାସରେ ହୋଇ ନାହିଁ ।
ଭାରତରେ ଚତୁର୍ଥ ଏବଂ ପଞ୍ଚମ ଦିନରେ ବ୍ୟାଟିଂ କରିବା ବହୁତ କଠିନ ହୋଇଯାଏ । କ୍ରିଜରେ ଜମି ରହିବା ବ୍ୟାଟରଙ୍କ ପାଇଁ ମୁସ୍କିଲ ହୋଇଯାଏ । ଏହି କାରଣରୁ ଚତୁର୍ଥ ଇନିଂସରେ ଭାରତରେ ଟେଷ୍ଟ କ୍ରିକେଟ୍ ଇତିହାସରେ ଆଜି ପର୍ଯ୍ୟନ୍ତ ଥରୁଟିଏ ୩୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ପିଛା କରାଯାଇ ପାରିଛି । ଏହି କାରାନାମା ଭାରତ ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇ ଟେଷ୍ଟରେ କରିଥିଲା । ସେହି ସମୟରେ ଭାରତ ୩୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା । ସଚିନ ତେନ୍ଦୁଲକର ଦମଦାର ଶତକ ମାରି ୧୦୩ ରନରେ ଅପରାଜିତ ଥିଲେ । ତାଙ୍କ ସହିତ ଯୁବରାଜ ସିଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୮୫ ରନ କରିଥିଲେ ।
ଭାରତ ମାଟିରେ ଟେଷ୍ଟ କ୍ରିକେଟରେ ଚେଜ୍ ହୋଇଥିବା ଟପ୍-୫ ସବୁଠୁ ବଡ ଲକ୍ଷ୍ୟ
୩୮୭/୪- ଭାରତ ବନାମ ଇଂଲଣ୍ଡ, ୨୦୦୮
୨୭୬/୫- ୱେଷ୍ଟଇଣ୍ଡିଜ ବନାମ ଭାରତ, ଦିଲ୍ଲୀ, ୧୯୮୭
୨୭୬/୫- ଭାରତ ବନାମ ୱେଷ୍ଟଇଣ୍ଡିଜ, ଦିଲ୍ଲୀ, ୨୦୧୧
୨୬୨/୫- ଭାରତ ବନାମ ନ୍ୟୁଜିଲାଣ୍ଡ, ବେଙ୍ଗାଲୁରୁ, ୨୦୧୨
୨୫୬/୮- ଭାରତ ବନାମ ଅଷ୍ଟ୍ରେଲିଆ, ବ୍ରାବର୍ଣ୍ଣ, ୨୦୧୦
Also read: ଗୌହାଟୀ ଟେଷ୍ଟକୁ ନେଇ କୁମ୍ବଲେଙ୍କ ସମାଲୋଚନା, ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଖରେ ନାହିଁ ଧୈର୍ଯ୍ୟ