ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ପାଇଁ ବିସିସିଆଇ ରବିବାର ଭାରତୀୟ ଦଳ ଘୋଷଣା କରିଛି। କେଏଲ ରାହୁଲଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଛି। ଜାତୀୟ ଚୟନକର୍ତ୍ତା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ଅସୁସ୍ଥ କାରଣରୁ ଶୁଭମନ ଗିଲଙ୍କୁ ଦଳରୁ ବାଦ୍ ଦିଆଯାଇଛି।ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରେ ଖେଳିପାରି ନଥିବା ରବୀନ୍ଦ୍ର ଜାଡେଜା ୫୦ ଓଭର ଫର୍ମାଟକୁ ଫେରିଛନ୍ତି।
ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ରିଷଭ ପନ୍ତ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। କିନ୍ତୁ ସମସ୍ତ ରିପୋର୍ଟ ମିଥ୍ୟା ସାବ୍ୟସ୍ତ ହୋଇଛି। ଚୟନ କମିଟି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ନିଯୁକ୍ତ କରିଛି। ରିଷଭ ପନ୍ତଙ୍କୁ ମଧ୍ୟ ୧୫ ଜଣିଆ ଭାରତୀୟ ଦଳରେ ସାମିଲ୍ କରାଯାଇଛି।
ସିରାଜ ଏବଂ ବୁମରା ବାଦ୍
ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି। ୧୫ ଜଣିଆ ଦଳରେ ଅଧିନାୟକ କେଏଲ ରାହୁଲ, ଋଷଭ ପନ୍ତ ଏବଂ ଧ୍ରୁବ ଜୁରେଲଙ୍କ ସହିତ ତିନି ଜଣ ୱିକେଟକିପର-ବ୍ୟାଟର ଅଛନ୍ତି। ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଏବଂ କୁଲଦୀପ ଯାଦବ ତିନି ସ୍ପିନରଙ୍କୁ ଦଳରେ ସ୍ଥାନ ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା କାରଣରୁ ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସୁଯୋଗ ମିଳିଛି। ଦ୍ରୁତ ବୋଲର ଭାବେ ପ୍ରସିଦ୍ଧ କୃଷ୍ଣ, ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂଙ୍କ ଚୟନ କରାଯାଇଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା, ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ତିଳକ ବର୍ମା, କେଏଲ ରାହୁଲ(ଅଧିନାୟକ/ଓ୍ଵିକେଟ୍ କିପର), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡ଼େଡ଼ା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ଵାଡ଼, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂ, ଧ୍ରୁବ ଜୁରେଲ।
ପ୍ରଥମ ଦିନିକିଆ- ନଭେମ୍ବର ୩୦, ରାଞ୍ଚି
ଦ୍ଵିତୀୟ ଦିନିକିଆ- ଡିସେମ୍ବର ୩, ରାୟପୁର
ତୃତୀୟ ଦିନିକିଆ- ଡିସେମ୍ବର ୬, ବିଶାଖାପଟନମ