ଭୁବନେଶ୍ବର: ସରକାରଙ୍କ ବିଭିନ୍ନ ଗୃହ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି। ଏନେଇ ବଡ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ଗରିବ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇ ଦିଆଯିବ। ମାଗଣା ବାଲିରେ ଘର କରିବେ ହିତାଧିକାରୀ। ହିତାଧିକାରୀଙ୍କ ବାଲି ଟଙ୍କା ସରକାର ବହନ କରିବେ।
ପୂର୍ବରୁ ବାଲି ଦରରେ ଲଗାମ ଲଗାଇବା ପାଇଁ ଏମ୍ଏସପି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ ଏମ୍ଏସ୍ପି (ସର୍ବାଧିକ ବିକ୍ରୟ ମୂଲ୍ୟ) ଲାଗୁ କରିବେ। ଏଣିକି ସରକାର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲିଘାଟ ଲିଜ୍ଧାରୀ ସେହି ଦାମ୍ରେ ଲୋକଙ୍କୁ ବାଲି ବିକ୍ରି କରିବେ। ଯିଏ ଅଧିକ ଦାମ୍ରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।
ଶୁକ୍ରବାର କ୍ୟାବିନେଟ୍ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ ଉପରେ ମୋହର ମାରିବା ପରେ ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବାଲି ଚୋରି ରୋକିବା ଏବଂ ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟ ସରକାର କେତେକ ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ଇ-ନିଲାମ ପରିବର୍ତ୍ତେ ଇ-ଲଟେରି ମାଧ୍ୟମରେ ବାଲିଘାଟଗୁଡ଼ିକୁ ଲିଜ୍ ଦିଆଯିବ। ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର। ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି ପାରିବେ ନାହିଁ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।
ଅଧିକ ପଢନ୍ତୁ: ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ : ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ