ଗୌହାଟୀ: ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଜାରି ରହିଛି । ମ୍ୟାଚରେ ଭାରତର ସ୍ଥିତି ଦୟନୀୟ ରହିଛି । ଅଦ୍ୟାବଧି ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସଂପୂର୍ଣ୍ଣ ଭାବେ ପ୍ରାଧ୍ୟାନ୍ୟ ବିସ୍ତାର କରିଛି । ଭ୍ରମଣକାରୀ ଦଳର ପ୍ରଥମ ଇନିଂସରେ ୪୮୯ ରନ ଜବାବରେ ଭାରତ ମଧ୍ୟାହ୍ନ ଭୋଜନ ସୁଦ୍ଧା ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୭ ୱିକେଟ୍ ହରାଇ ୧୭୪ ରନ କରିଛି । ଭାରତ ବର୍ତ୍ତମାନ ଫଲୋଅନ ଏଡାଇବା ପାଇଁ ସଂଘର୍ଷ କରୁଛି । ଫଲୋଅନ ପାଇଁ ଭାରତକୁ ଏବେ ବି ୧୧୬ ରନ ଦରକାର । କ୍ରିଜରେ ୱାଶିଂଟନ ସୁନ୍ଦର ୩୩ ରନ ଓ କୁଲଦୀପ ଯାଦବ ୧୪ ରନ କରି ଅପରାଜିତ ଅଛନ୍ତି ।
ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୯/୦ରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ଜୟସ୍ୱାଲ ଓ କଏଲ ରାହୁଲ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ରେ ୬୫ ରନ ଯୋଡିଥିଲେ । କେଏଲ ରାହୁଲ ୨୨ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଏକଦା ଗୋଟିଏ ୱିକେଟ୍ ହରାଇ ୯୫ ରନ କରିଥିବା ଭାରତ ୧୭ ରନ ଭିତରେ ୬ ୱିକେଟ୍ ହରାଇ ହରାଇଥିଲା ।
ଅର୍ଦ୍ଧଶତକ ସହ କ୍ରିଜରେ ଜମିଥିବା ଜୟସ୍ୱାଲ ୫୮ ବଲର ଇନିଂସ ଖେଳି ଆଉଟ୍ ହୋଇଥିଲେ । ପୁଣି ସାଇ ସୁଦର୍ଶନ ୧୫ ରନ କରିଥିବା ବେଳେ ଚାରି ନମ୍ବରରେ ବ୍ୟାଟିଂ କରିଥିବା ଧ୍ରୁବ ଜୁରେଲ ଖାତା ବି ଖୋଲି ପାରି ନ ଥିଲେ । ଋଷଭ ପନ୍ତ ବଡ ସଟ୍ ଖେଳିବା ଉଦ୍ୟମରେ ୭ ରନ, ରବୀନ୍ଦ୍ର ଜାଡେଜା ୬ ରନ ଓ ନୀତିଶ କୁମାର ରେଡ୍ଡୀ ୧୦ ରନ କରି ଆଉଟ୍ ହୋଇଥିଲେ ।
୧୧୨ ରନରେ ୭ ୱିକେଟ୍ ହରାଇ ସଙ୍କଟ ଜନକ ସ୍ଥିତିରେ ପଡିଥିଲା ଭାରତ । ଦଳ ଫଲୋଅନ ଏଡାଇବାକୁ ସଂଘର୍ଷ କରୁଛି । ତେବେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ କ୍ରିଜରେ ଜମି ରହି ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ ଚଳାଇଛନ୍ତି । ଏ ପର୍ଯ୍ୟନ୍ତ ଅଷ୍ଟମ ୱିକେଟ୍ ପାଇଁ ୫୨ ରନ ଯୋଡି ଭାରତର ଫଲୋଅନ ଏଡାଇବା ସମ୍ଭାବନା ବଢାଇଛନ୍ତି । ସୁନ୍ଦର ୩୩ ରନ ଓ କୁଲଦୀପ ୧୪ ରନ କରି ଅପରାଜିତ ଅଛନ୍ତି ।
ବୋଲିଂରେ ଭ୍ରମଣକାରୀ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ମାର୍କୋ ଜନସେନ ଏ ପର୍ଯ୍ୟନ୍ତ ୪୩ ରନ ଦେଇ ୪ ୱିକେଟ୍ ହାସଲ କରିଛନ୍ତି । ସିମନ ହାରମର ୨ ଓ କେଶବ ମହାରାଜ ଗୋଟିଏ ୱିକେଟ୍ ନେଇଛନ୍ତି । ଉଲ୍ଲେଖନୀୟ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ ରନର ବିଶାଳ ସ୍କୋର କରିଛି । ଦଳ ପକ୍ଷରୁ ମୁଥୁସାମି ୧୦୯ ରନ ଓ ମାର୍କୋ ଜନସେନ ୯୩ ରନ କରିଥିଲେ ।
Also read: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, କେଏଲ ରାହୁଲ ଅଧିନାୟକ ନିଯୁକ୍ତ