ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନ ବିଚାରପତି ବିଆର ଗବାଇ ସୋମବାର ନିଜର ଉତ୍ତରାଧିକାରୀ ବିଚାରପତି ସୂର୍ଯ୍ୟକାନ୍ତ ପାଇଁ ସରକାରୀ ମର୍ସିଡିଜ ବେଞ୍ଜ କାର ଛାଡି ଦେଇଛନ୍ତି । ଏହିପରି ଭାବେ ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତି ଭବନରେ ସେ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । ନଭେମ୍ବର ୨୩ରେ ଅବସର ନେଇଥିବା ନ୍ୟାୟଧୀଶ ଗବାଇ ସରକାରୀ କାରରେ ରାଷ୍ଟ୍ରପତି ଭବନ ପହଞ୍ଚିଥିଲେ । ଆଉ ସମାରୋହ ପରେ ସେ ନିଜ ଗାଡିରେ ଯାଇଛନ୍ତି । ଶପଥ ଗ୍ରହଣ ପରେ ଜଜ ଗବାଇ ନୂଆ ଜିଜେଆଇଙ୍କ ପାଇଁ ସରକାରୀ କାର ଛାଡି ଦେଇଛନ୍ତି ।
ସେ କହିଛନ୍ତି, ମୋର ଅବଶୋଷ ଯେ, ମୋ କାର୍ଯ୍ୟକାଳରେ କୌଣସି ମହିଳା ଜଜଙ୍କୁ ସୁପ୍ରିମକୋର୍ଟ ଆଣିବା ପାଇଁ ସୁପାରିଶ ହୋଇ ପାରିଲା ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅବସର ପରେ ସେ କୌଣସି ସରକାରୀ ପଦ କିମ୍ବା ରାଜ୍ୟପାଳ ପରି ପଦ ଗ୍ରହଣ କରିବେ ନାହିଁ । ମୁଁ ନିଜ ଜିଲ୍ଲାରେ ଆଦିବାସୀ ସମୁଦାୟ କଲ୍ୟାଣ ପାଇଁ କାମ କରିବି ।
ଏହା ବ୍ୟତୀତ ସେ ଏକ ନେରେଟିଭକୁ ନେଇ ବଡ ବୟାନ ଦେଇଛନ୍ତି । ଜଷ୍ଟିସ ଗଭାଇ କହିଛନ୍ତି, କିଛି ଲୋକ ଭାବନ୍ତି ଯେ, ଯଦି ଆପଣ ପ୍ରତିଟି ନିଷ୍ପତ୍ତିରେ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନ ଦିଅନ୍ତି ତେବେ ଆପଣ ନିରପେକ୍ଷ ବିଚାରପତି ନୁହନ୍ତି । ଏମିତି ଚିନ୍ତାଧାରା କଦାପି ଠିକ୍ ନୁହେଁ ।
ବିଚାରପତି ସୂର୍ଯ୍ୟକାନ୍ତ ସୋମବାର ଭାରତର ୫୩ତମ ସିଜେଆଇ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ସଂକ୍ଷିପ୍ତ ସମାରୋହରେ ଶପଥ ପାଠ କରାଇଛନ୍ତି । ସିଜେଆଇ ସୂର୍ଯ୍ୟକାନ୍ତ ଏବେ ସୁପ୍ରିମକୋର୍ଟର ୫ ଜଣିଆ କଲେଜିୟମର ନେତୃତ୍ୱ ନେବେ । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ବ୍ୟତୀତ ୫ ଜଣିଆ କଲେଜୟମରେ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବିଭି ନାଗରତ୍ନା, ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏମଏସ ସୁନ୍ଦରେଶ ସାମିଲ୍ ।
Also read: ପ୍ରତିଟି ନିଷ୍ପତ୍ତି ସରକାରଙ୍କ ବିରୋଧରେ ଦିଅ, ତେବେ ଯାଇ କିଛି ଲୋକ ଜଜଙ୍କୁ... ଶେଷ ଦିନରେ ବଡ କଥା କହିଲେ ସିଜେଆଇ