ମୁମ୍ବାଇ: ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର। ବର୍ଷିୟାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ଖବର ସରବରାହ ସଂସ୍ଥା IANS ସୂତ୍ରରୁ ଜଣାପଡିଛି।
ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଦେହାନ୍ତ ନେଇ ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ପୋଷ୍ଟ କରିଛନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି – “ଏହା ଏକ ଯୁଗର ଅନ୍ତ….. ଜଣେ ବିଶାଳ ମେଗା ଷ୍ଟାର… ମୁଖ୍ୟଧାରାର ସିନେମାରେ ଜଣେ ହିରୋର ଅବତାର… ଅତ୍ୟନ୍ତ ସୁନ୍ଦର ଏବଂ ସବୁଠାରୁ ରହସ୍ୟମୟ ସ୍କ୍ରିନ୍ ଉପସ୍ଥିତି… ସେ ଭାରତୀୟ ସିନେମାର ଜଣେ ପ୍ରକୃତ କିମ୍ବଦନ୍ତୀ। ସିନେମା ଇତିହାସର ପୃଷ୍ଠାରେ ପରିଭାଷିତ ଏବଂ ସମୃଦ୍ଧ ଭାବରେ ଉପସ୍ଥିତ। ”
୧୯୩୫ ଡିସେମ୍ବର ୮ରେ ପଞ୍ଜାବ ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ଧର୍ମେନ୍ଦ୍ର। ୧୯୬୦ରେ ‘ଦିଲ୍ ଭି ତେରା ହମ୍ ଭି ତେରା’ ଫିଲ୍ମରେ ଡେବ୍ୟୁ କରିଥିଲେ। ବଲିଉଡ୍ ଜଗତରେ ‘ହି-ମ୍ୟାନ୍’ ଭାବେ ଜଣାଶୁଣା ଥିଲେ। ଦୀର୍ଘ ୬ ଦଶନ୍ଧିର ଧରି ଫିଲ୍ମ କ୍ୟାରିଅରରେ ରାଜ କରିଛନ୍ତି ଧର୍ମେନ୍ଦ୍ର।
ପାଖାପାଖି ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ସେ ଅଭିନୟ କରିଛନ୍ତି। ତାଙ୍କୁ ୨୦୧୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। । ୧୯୯୭ରେ ଫିଲ୍ମଫେୟାର ଲାଇଫ୍ ଟାଇମ ଆଚିଭମେଣ୍ଟ ସମ୍ମାନ ପାଇଥିଲେ ଧର୍ମେନ୍ଦ୍ର। ୨୦୧୧ରେ ପାଇଥିଲେ ଦାଦା ସାହେବ ଫାଲକେ ସମ୍ମାନ।
ନିଜ ଛଅ ଦଶନ୍ଧିର କ୍ୟାରିୟରରେ ସେ 'ୟାଦୋଁ କି ବାରାତ', 'ମେରା ଗାଁ ମେରା ଦେଶ', 'ନୌକର ବିବି କା', 'ଫୁଲ ଔର ପଥର', 'ବେତାବ' ଏବଂ 'ଘାୟଲ' ଭଳି ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ପରିବାରରେ ତାଙ୍କ ପତ୍ନୀ ହେମା ମାଳିନୀ ଏବଂ ଛଅ ଜଣ ସନ୍ତାନ- ଅଭିନେତା ସନି ଦେଓଲ, ବବି ଦେଓଲ, ଏଶା ଦେଓଲ ଏବଂ ଆହାନା ଦେଓଲ, ଅଜିତା ଏବଂ ବିଜେତା ଅଛନ୍ତି।
ଧର୍ମେନ୍ଦ୍ରଙ୍କ ବିୟୋଗ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ବଲିଉଡର ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼ ଲାଗିଛି। ମୁମ୍ବାଇ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼ ଦେଖିବାକୁ ମିଳିଛି। ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ।