ଅଯୋଧ୍ୟା : ଝଲସୁଛି ରାମ ନଗରୀ ଅଯୋଧ୍ୟା। ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ହେବ । ଏଥିପାଇଁ ଭବ୍ୟ ସଜେଇ ହୋଇଛି ଶ୍ରୀରାମ ଜନ୍ମ ଭୂମି । ସାରା ସହରକୁ ବିଭିନ୍ନ ଫୁଲ ଏବଂ ଆଲୋକମାଳରେ ସୁସଜ୍ଜିତ କରାଯାଇଛି ।
ଆସନ୍ତାକାଲି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ।ଧ୍ବଜାରୋହଣ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଟନ୍ ଦବାଇ ଧ୍ବଜା ସ୍ଥାପନକୁ ଉଦଘାଟନ କରିବେ । ରାମମନ୍ଦିର ସମେତ ଅନ୍ୟ ପାର୍ଶ୍ବ ମନ୍ଦିରରେ ବି ଧ୍ବଜାରୋହଣ କରାଯିବ ।
ସୂଚନା ଅନୁସାରେ ଅହମ୍ମଦାବାଦରେ ସ୍ବତନ୍ତ୍ର ଭାବେ ତିଆରି ହୋଇଛି ଏହି ଧ୍ବଜା । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ । ଏହି ଧ୍ବଜାର ଓଜନ ପ୍ରାୟ ୧୧ କେଜି ରହିଛି । ଧ୍ବଜାରେ ରାମଙ୍କ ପ୍ରତୀକ ରହିଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି । ଧ୍ବଜା ନିର୍ମାଣ ପାଇଁ ୨୫ ଦିନ ସମୟ ଲାଗିଛି । ପ୍ରଭୁ ରାମଚନ୍ଦ୍ର ବନବାସ ପରେ ଅଯୋଧ୍ୟାରେ ଆଗମନ ସମୟରେ ଯେପରି ଧର୍ମ ଧ୍ବଜା ସ୍ଥାପନ ହୋଇଥିଲା ସେହି କାହାଣୀକୁ କଳ୍ପନା କରି ଏହି ଧ୍ବଜାର ନିର୍ମାଣ କରାଯାଇଛି ବୋଲି କୁହାଯାଉଛି। ଦିନ ୧୨.୫୫ ରୁ ୧ ଟା ଶୁଭ ସମୟ ମଧ୍ଯରେ ଏହି ଧ୍ବଜାରୋହଣ ଉତ୍ସବ ଅନୁଷ୍ଠିତ ହେବ।
ସେହିପରି ରାମ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।