ଭୁବନେଶ୍ୱର: ମଙ୍ଗଳବାର ଠାରୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଚଳିତବର୍ଷ ଧାନ କିଣା ଅଧିକ ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ଯ ରଖିଛନ୍ତି । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡି ଗୁଡିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ।
ସମବାୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ୍ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ସହ କଟନୀ ଛଟନୀ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି ।
ସେହିପରି ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗ ଚାଷୀମାନଙ୍କଠାରୁ ଧାନ କିଣା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ଧାନ ସଂଗ୍ରହ ପରିଚାଳନା ନେଇ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି । ଧାନ ଚାଷ ହୋଇଥିବା ଅଞ୍ଚଳ ବାବଦରେ ସାଟେଲାଇଟ୍ ଯାଞ୍ଚ ସମସ୍ତ ଜିଲ୍ଲାରେ କରାଯାଇଛି । ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀଙ୍କର ଧାନ ସଂଗ୍ରହ ନେଇ ପ୍ରମାଣ କରାଯିବ ।
ସୂଚନାଯୋଗ୍ୟ ୨୦୨୪-୨୫ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ରାଜ୍ଯର ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ମାତ୍ର ଏ ବର୍ଷ ୨ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଏ ବର୍ଷ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍ ବୃଦ୍ଧି କରାଯାଇଛି । ଉଭୟ ଖରିଫ ଓ ରବି ଋତୁ ପାଇଁ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।