ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ସଦର ମହକୁମାସ୍ଥିତ ବାମରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରୁ ନିଖୋଜ ହୋଇଯାଇଥିବା ୩ ଜଣ ଛାତ୍ରୀ ଉଦ୍ଧାର ହୋଇଛନ୍ତି । କୁଚିଣ୍ଡାରୁ ସୋମବାର ସକାଳ ପ୍ରାୟ ୮ଟାରୁ ୮ଟା ୩୦ ମିନିଟ୍ ସମୟରେ ଉଦ୍ଧାର କରାଯାଇଛି । ଗୋବିନ୍ଦପୁର ଥାନା ପୋଲିସ ସୂଚନା ଦେଇଛନ୍ତି । ଆଜି ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଯିବ । କାହିଁକି ଏବଂ କେଉଁ ପରିସ୍ଥିତିରେ ସେମାନେ ହଷ୍ଟେଲ ଛାଡ଼ି ଚାଲିାଯାଇଥିଲେ ସେନେଇ ପଚରାଉଚରା କରାଯିବ ।
ଗତକାଲି ସନ୍ଧ୍ୟା ପ୍ରାର୍ଥନା ପରେ ଛାତ୍ରୀ ଗଣତି ସମୟରେ ତିନି ଜଣ ଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରେ ଗୋବିନ୍ଦପୁର ଓ କୁଚିଣ୍ଡା ଥାନା ଅଞ୍ଚଳର ଦୁଇ ଜଣ ନବମ ଏବଂ ଝାରସୁଗୁଡ଼ା ଲଇକେରା ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଥିଲେ । ବିଦ୍ୟାଳୟର ବିଭିନ୍ନ ସ୍ଥାନ ଖୋଜିବା ପରେ ନ ମିଳିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ଅବଗତ କରାଇଥିଲେ । ଏହା ସହିତ ଛାତ୍ରୀମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବାରୁ ଅନ୍ୟ ଶିକ୍ଷୟିତ୍ରୀ ପୂଜା ମାଝୀ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ, ବସ୍ ଷ୍ଟାଣ୍ଡ୍ ଏବଂ ରେଳ ଷ୍ଟେସନରେ ଖୋଜିଥିଲେ । ରାତି ତମାମ ବହୁତ ଖୋଜାଖୋଜି ପରେ ଆଜି ସକାଳୁ ସେମାନଙ୍କୁ ଉଦ୍ଧାର କରିଛନ୍ତି ।