ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ ଗର୍ଜିଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାକର୍ସ ଆସୋସିଏସନ୍ ବିଧାନସଭା ଘେରାଉ ଡାକରା ଦେଇଛି । ଦରମା ବୃଦ୍ଧି, ମୋବାଇଲ ଦେବା ଭଳି ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିବାକୁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ବିଧାନସଭା ସମ୍ମୁଖରେ ଧାରଣାରେ ବସି ନାରାବାଜି କରିଛନ୍ତି ।
ଅଙ୍ଗନବାଡ଼ି କର୍ମୀ ଅଭିଯୋଗ କରିଛନ୍ତି ଯେ ସରକାର ସେମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ କାମଠାରୁ ଆରମ୍ଭ କରି ପୋଷଣ କାମ ଠାରୁ ଅନ୍ୟାନ୍ୟ କାମ କରୁଛନ୍ତି । ଯେଉଁଥିପାଇଁ ସେମାନଙ୍କ ଦରମା ବୃଦ୍ଧି କରିବାକୁ ଦାବି କରିଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଏବଂ ସହାୟିକାଙ୍କ ଦରମା ୯ ହଜାର ଟଙ୍କା କରିବାକୁ ଦାବି କରିଛନ୍ତି । ସେହିପରି ଅବସରକାଳୀନ ସହାୟତା ୧୦ ଲକ୍ଷ, ପେନସନ୍ ଓ ଗ୍ରାଚ୍ୟୁଇଟି ଦେବାକୁ ଦାବି କରିଛନ୍ତି । ସେହିପରି ପୋଷଣ ଟ୍ରାକ୍ କାମ ପାଇଁ ୨ଜି ମୋବାଇଲ ଭଲରେ ନେଟୱାର୍କ ଆସୁନାହିଁ , ଯେଉଁଥିପାଇଁ ଅନେକ ସମୟରେ ହଇରାଣ ହରକତ ହେବାକୁ ପଡ଼ୁଛି । ତେଣୁ ୫ଜି ମୋବାଇଲ ଦେବାକୁ ଦାବି କରିଛନ୍ତି । ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ରାଜଧାନୀରେ ଏକାଠି ହୋଇଛନ୍ତି । ଏକାଧିକ ମହିଳାଙ୍କୁ ନିଜ କାଖରେ ଶିଶୁକୁ ଧରି ବିକ୍ଷୋଭ କରୁଥିବାର ଦେଖିବାକୁ ମିଳିଛି । ସମସ୍ତେ ବିଧାନସଭା ସମ୍ମୁଖରେ ଗର୍ଜିଛନ୍ତି । ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଭର୍ତ୍ତି ହୋଇଯାଇଛନ୍ତି । ବିଧାନସଭା ସମ୍ମୁଖରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ପୁରା ଗେରୁଆ ପତାକାରେ ଛାଇ ହୋଇଯାଇଛି ।
ସେପଟେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଧାନସଭା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।