ଭଦ୍ରକ: ବିଜେଡ଼ି ନେତ୍ରୀ ଦଳ ଛାଡ଼ି ବିଜେପିରେ ସାମିଲ ହେବାକୁ କହିବାକୁ ଧମକ ଦେଉଛନ୍ତି ଦଳୀୟ ନେତା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି । ଏ ନେଇ ଭଣ୍ଡାରୀପୋଖରୀ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଥାନା ଅଧିକାରୀ ରାଜଲକ୍ଷ୍ମୀ ନାୟକ କହିଛନ୍ତି ।
ଗତ କିଛି ଦିନ ଥଲେ ଭଦ୍ରକର ୭ଟି ବ୍ଲକରୁ ୪ଟି ବ୍ଲକର ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷାମାନେ ବିଜେଡ଼ି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବନ୍ତ ବ୍ଲକର ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ ଏବଂ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ରଞ୍ଜନ ବିଶ୍ୱାଳ ପ୍ରମୁଖ ଦଳ ଛାଡ଼ିବାକୁ ଯୋଜନା କରିଥିଲେ । ଏହାରି ମଧ୍ୟରେ ଭଣ୍ଡାରୀପୋଖରୀ ପଞ୍ଚାୟତ ସମିତି ବିଜେଡ଼ି ଅଧ୍ୟକ୍ଷା ସୁମତି ସେଠୀ ବିଜେପିରେ ଯୋଗ ଦେବାକୁ ଦରଖାସ୍ତ ଲେଖିଥିଲେ । ଏହା ଜଣାପଡ଼ିବା ପରେ ବିଜେଡ଼ିର କିଛି ନେତା ତାଙ୍କୁ ଦଳ ନ ଛାଡ଼ିବାକୁ କହୁଥିଲେ । ମାତ୍ର ଶନିବାର ବିଳମ୍ବିତ ରାତିରେ କିଛି ଅସାମାଜିକ ଲୋକ ତାଙ୍କ ଘରକୁ ଉପରକୁ ଟେକା ପଥର ମାଡ଼ କରିବା ସହିତ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯଦି ବିଜେପିରେ ମିଶିବେ ତେବେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।
ଏ ନେଇ ସୁମତି ଭଣ୍ଡାରୀପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏତଲା ଗ୍ରହଣ କରିଥିବାବେଳେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି ।