କୋଲକାତା: ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି । ଏହାକୁ ନେଇ ତୃଣମୂଳ କଂଗ୍ରେସର ବିଧାୟକ ହୁମାୟୁଁ କବିରଙ୍କ ବୟାନ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ଟିଏମସି ବିଧାୟକ ମୁର୍ଶିଦାବାଦରେ ବାବ୍ରି ମସଜିଦର ଶିଳାନ୍ୟାସ ଡିସେମ୍ବର ୬ରେ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ତାରିଖ ଉତ୍ତର ପ୍ରଦେଶର ଅଯୋଧ୍ୟାର ବାବ୍ରି ମସଜିଦର ବିଧ୍ୱଂସର ବର୍ଷପୂର୍ତ୍ତି । ଭରତପୁରର ଏହି ବିଧାୟକ ଗତ ବର୍ଷ ଏହି ମସଜିଦର ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ ।
ହୁମାୟୁଁ ଏଏନଆଇ ସହ ଆଲୋଚନା ବେଳେ ଶନିବାର କହିଛନ୍ତି, ଆମେ ଡିସେମ୍ବର ୬ରେ ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦର ଶିଳାନ୍ୟାସ କରିବୁ । ଏହାର ନିର୍ମାଣ ୩ ବର୍ଷ ଲାଗିବ । ବିଭିନ୍ନ ମୁସଲିମ ନେତା ଏହି ଆୟୋଜନରେ ସାମିଲ ହେବେ । ଏହାକୁ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ କ୍ଷମତାସୀନ ଟିଏମସି ଧର୍ମ ଆଧାରିତ ରାଜନୀତି ଓ ତୁଷ୍ଟିକରଣ କରୁଥିବା ବିଜେପି କହିଛି ।
ବିଜେପି ନେତା ଅଗ୍ନିମିତ୍ରା ପଲ୍ କହିଛନ୍ତି, କେହି ବି ମନ୍ଦିର କିମ୍ବା ମସଜିଦ ତିଆରି କରି ପାରିବେ । ମାତ୍ର ଟିଏମସି ଧର୍ମ ନାଁରେ ରାଜନୀତି କରୁଛି । ଡିସେମ୍ବର ୬ ତାରିଖକୁ ଚୟନ କରାଯିବା ପଛର ଉଦ୍ଦେଶ୍ୟ ସ୍ପଷ୍ଟ । ପ୍ରଶ୍ନ ଏହା ଯେ, ଟିଏମସି ରାଜ୍ୟରେ ସଂଖ୍ୟାଲଘୁଙ୍କ ପାଇଁ କଣ କଣ କରିଛି । ଆଉ ଜଣେ ବିଜେପି ନେତା ପ୍ରିୟଙ୍କା ଟିବରେୱାଲା କହିଛନ୍ତି, ଟିଏମସିର ନିରପେକ୍ଷତା ଧର୍ମ ବିଶେଷକୁ ନେଇ ହେଉଛି । ଯଦି ସେମାନେ ବାବ୍ରି ମସଜିଦକୁ ପୁଣି ଥରେ ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବ ଏହି ଅବସରରେ କାହାକୁ ଡକାଇବେ ? ରୋହିଙ୍ଗ୍ୟା ଲୋକେ ତ ଏବେ ଏସଆଇଆର ଭୟରେ ସୀମାକୁ ପଳାୟନ କରୁଛନ୍ତି । ଟିଏମସି କେବଳ ତୃଷ୍ଟିକରଣ କରୁଥିବା ପ୍ରିୟଙ୍କା କହିଛନ୍ତି ।
ସୂଚନାଯୋଗ୍ୟ, ଟିଏମସି ଡିସେମ୍ବର ୬ରେ ଏକଜୁଟତା ରାଲି ବାହାର କରିବାକୁ ଯାଉଛି । ଏହାର ପ୍ରସ୍ତୁତିର ଦାୟିତ୍ୱ ପାର୍ଟିର ଯୁବ ଓ ଛାତ୍ର ଶାଖାକୁ ଦିଆଯାଇଛି । ବାବ୍ରି ମସଜିଦ ବିଧ୍ୱଂସର ବିରୋଧରେ ଆୟୋଜିତ ଏହି ରାଲିର ଆୟୋଜନ ସାଧାରଣତଃ ଟିଏମସିର ସଂଖ୍ୟାଲଘୁ ସେଲ୍ କରିଥାଏ । ମାତ୍ର ଏଥର ଆୟୋଜନର ଦାୟିତ୍ୱ ପାର୍ଟିର ଅନ୍ୟ ଶାଖାକୁ ଦେଇ ଟିଏମସି ବଡ ପରିବର୍ତ୍ତନ କରିଛି ।
Also read: ଐତିହାସିକ ହେବ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ସମାରୋହ, ବ୍ରାଜିଲ ସହିତ ୭ ଦେଶର ଜଜ ହେବେ ଅତିଥି