ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ସମାରୋହରେ ଯୋଗ ନ ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛି ବିଜେପି । ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ସମୟରେ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ମାତ୍ର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସି ନ ଥିଲେ । ଏହାକୁ ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ କଡା ଶବ୍ଦରେ ସମାଲୋଚନା କରିଛି ।
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସିଆର କେଶବନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତର ପ୍ରଧାନ ବିଚାରପତିଙ୍କ ଶପଥ ସମାରୋହରେ ଯୋଗ ଦେଲେ ନାହିଁ । ଏମିତି ପ୍ରଥମ ଥର ନୁହେଁ ଏହି ପରି ଅନେକ କାର୍ଯ୍ୟକ୍ରମରୁ ରାହୁଲ ଦୂରେଇ ରହି ଆସିଛନ୍ତି । କେସବନ ଲେଖିଛନ୍ତି ସେ ଉପରାଷ୍ଟ୍ରପତିଙ୍କ ଶପଥ ସମାରୋହ ହେଉ କିମ୍ବା ସ୍ୱାଧୀନତା ଦିବସ ସମାରୋହ ହେଉ, ରାହୁଲ ଗାନ୍ଧୀ ଅନୁପସ୍ଥିତି ରହିଛନ୍ତି । ଏଥିରେ କେବଳ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ରାହୁଲ ଗାନ୍ଧୀ ଦେଶର ସାମ୍ବିଧାନିକ ପ୍ରକ୍ରିୟା ଉପରେ ବିଶ୍ୱାସ କରନ୍ତି ନାହିଁ । ରାହୁଲ ବାବା ଆମ୍ବେଦକରଙ୍କ ସମ୍ବିଧାନକୁ ବୋଧହୁଏ ପସନ୍ଦ କରୁ ନାହାନ୍ତି ।
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଲେଖିଛନ୍ତି,କଂଗ୍ରେସ ଜରୁରୀକାଳୀନ ଲଗାଇ ସମ୍ବିଧାନର ହତ୍ୟା କରିଛି । ସେ ଖୋଦ୍ ଗଣତାନ୍ତ୍ରିକ ପରମ୍ପରାକୁ ବିଶ୍ୱାସ କରନ୍ତି ନାହିଁ । ଏହି ପରି କାମକୁ ଲୋକଙ୍କ ନଜରରୁ ହଟାଇ ପାରିବେ ନାହିଁ । ଉଲ୍ଲେଖନୀୟ ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ସେ ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଏହି ସମୟରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ୱାମୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ ଅନେକ କେନ୍ଦ୍ରୀୟ ମନ୍ତ୍ରୀ ଉପସ୍ଥିତ ଥିଲେ ।
Also read: ଦେଶର ୫୩ତମ ପ୍ରଧାନ ବିଚାରପତି ହେଲେ ନ୍ୟାୟଧୀଶ ସୂର୍ଯ୍ୟକାନ୍ତ