ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନୂତନ ପ୍ରଧାନ ବିଚାରପତି ହୋଇଛନ୍ତି ନ୍ୟାୟଧୀଶ ସୂର୍ଯ୍ୟକାନ୍ତ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ସୋମବାର ଶପଥ ପାଠ କରାଇଛି । ନ୍ୟାୟଧୀଶ ସୂର୍ଯ୍ୟକାନ୍ତ ଦେଶର ୫୩ତମ ପ୍ରଧାନ ବିଚାରପତି ହୋଇଛନ୍ତି ।
ଆଜିର ଶପଥ ସମାରୋହ ଐତିହାସିକ ଥିଲା । ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଯୋଗ ଦେଇଛନ୍ତି । ଏହି ସମାରୋହରେ ଅନ୍ୟ ୬ଟି ଦେଶର ଦେଶର ପ୍ରଧାନ ବିଚାରପତି ଓ ବିଚାରପତି ସାମିଲ୍ ହୋଇଛନ୍ତି । ଭୂଟାନ, କେନିଆ, ମାଲେସିଆ, ମରିସସ, ନେପାଳ, ଶ୍ରୀଲଙ୍କା ଓ ବ୍ରାଜିଲର ପ୍ରଧାନ ବିଚାରପତି ଏବଂ ବିଚାରପତି ପ୍ରମୁଖ ସାମିଲ ହୋଇଛନ୍ତି ।
ଗତକାଲି ସିଜେଆଇ ଗବାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ପରେ ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି । ୨୦୨୭ ଫେବୃଆରୀ ୯ରେ ସେ ଅବସର ଗ୍ରହଣ କରିବେ । ଏକ ବର୍ଷ ଦୁଇ ମାସ ପାଇଁ ସେ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବେ । ଏହା ସହିତ ପ୍ରଥମ ଥର ପାଇଁ ହରିୟାଣାର ବାସିନ୍ଦାଭାବେ ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିଛନ୍ତି ।
ବିଚାରପତି ସୂର୍ଯ୍ୟକାନ୍ତଙ୍କ ଯୋଗ୍ୟତା-
ହରିୟାଣାରୁ ଆସିଥିବା ବିଚାରପତି ସୂର୍ଯ୍ୟକାନ୍ତ ୨୪ ମେ, ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ ।
ଏହା ପରେ ମାର୍ଚ୍ଚ ୨୦୦୧, ରେ ବରିଷ୍ଠ ଓକିଲ ଭାବରେ ମନୋନୀତ କରାଯାଇଥିଲା । ଏହା ସହିତ ସେ ହରିୟାଣାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୭ ଜୁଲାଇ ୨୦୦୦ ରେ ହରିୟାଣାର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ ଭାବରେ ନିଯୁକ୍ତ ହେବାର ଗୌରବ ଅର୍ଜନ କରିଥିଲେ । ଜାନୁଆରୀ ୯, ୨୦୦୪ରେ ସୂର୍ଯ୍ୟକାନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ ।
ଫେବୃଆରୀ ୨୩, ୨୦୦୭ରେ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣର ପରିଚାଳନା ପରିଷଦର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଫେବୃଆରୀ ୨୨, ୨୦୧୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ସେହିପରି ଅକ୍ଟୋବର ୫, ୨୦୧୮ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ ଗ୍ରହଣ କରିଥିଲେ ଏବଂ ମେ ୨୪, ୨୦୧୯ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିଲେ । ସେ ବର୍ତ୍ତମାନ ସୁପ୍ରିମକୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।