ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ ଚାରି ମହାବଳ ବାଘ । ନାସନାଲ ଜୁ ଅଥୋରିଟି ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏଥିପାଇଁ ତିଆରି ହେବ ଏନକ୍ଲୋଜର୍ । ଏହି ଏନକ୍ଲୋଜର୍ ତିଆରି ପାଇଁ ସୋମବାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅନ୍ୟ ଚିଡ଼ିଆଖାନାରୁ ସମ୍ବଲପୁର ୪ ମହାବଳ ବାଘ ଅଣାଯିବ । ମହାବଳବାଘଙ୍କ ରହଣି ପାଇଁ ୧୫୦୦ ବର୍ଗ ମିଟରର ଏନକ୍ଲୋଜର ନିର୍ମାଣ କରାଯିବ । ସେହିପରି ମଗର ଓ ଘଡ଼ିଆଳ ପ୍ରଜାତିର କୁମ୍ଭୀର ମଧ୍ୟ ସମ୍ବଲପୁର ଚିଡିଆଖାନାରେ ରହିବେ । ତାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଏନକ୍ଲୋଜର ନିର୍ମାଣ ହେବ । ଆଜି ଏଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର ଡିଅର୍ ପାର୍କ ୨୦୨୩ରେ ଚିଡିଆଖାନାର ମାନ୍ୟତା ପାଇଥିଲା । ଏବେ ୧୭ ପ୍ରଜାତିର ବନ୍ୟପ୍ରାଣୀ ସମ୍ବଲପୁର ଚିଡିଆଖାନାରେ ରହିଛନ୍ତି । ସେହିପରି ଏକ କଲରାପତରିଆ ବାଘ ମଧ୍ୟ ରହିଛି । ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ମଧ୍ୟ ଯୋଗ ଦେଇଛନ୍ତି ।