ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ଜୟ ଶାହ ରୋହିତ ଶର୍ମାଙ୍କୁ ୨୦୨୬ ଟି-୨୦ ବିଶ୍ଵକପ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିଛନ୍ତି। ରୋହିତ ଶର୍ମା ନିଜ ନେତୃତ୍ଵରେ ଭାରତକୁ ୨୦୨୪ ଟି-୨୦ ବିଶ୍ଵକପ୍ ଟାଇଟଲ୍ ଜିତାଇଥିଲେ। ଏହା ପରେ ସେ ଏହି ଫର୍ମାଟରୁ ଅବସର ନେଇଥିଲେ। ଜୟ ଶାହ କହିଛନ୍ତି ଯେ ପ୍ରତିନିଧିତ୍ଵ ଭୂମିକା ପାଇଁ ରୋହିତ ଶର୍ମାଙ୍କଠାରୁ ଭଲ ବ୍ୟକ୍ତି ହୋଇପାରିବେ ନାହିଁ। ବ୍ରାଣ୍ଡ ଆମ୍ବାସାଡର ଭାବରେ, ରୋହିତ ଶର୍ମା ବିଶ୍ଵ ସ୍ତରରେ ଟି-୨୦ ବିଶ୍ଵକପ୍ ପ୍ରଚାର କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ।
ରୋହିତ ଶର୍ମାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରି ଜୟ ଶାହ କହିଛନ୍ତି, ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ଵକପ ପାଇଁ ରୋହିତ ଶର୍ମା ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିବା ମୋ ପାଇଁ ଏକ ସମ୍ମାନର ବିଷୟ। ଏହି ଇଭେଣ୍ଟରେ ତାଙ୍କ ପରି ଅନ୍ୟ କେହି ଭଲ ପ୍ରତିନିଧି ହୋଇପାରିବେ ନାହିଁ। ୨୦୨୪ ଟି-୨୦ ବିଶ୍ଵକପର ବିଜେତା ଅଧିନାୟକ ରୋହିତ ଶର୍ମା ଏପର୍ଯ୍ୟନ୍ତ ସମସ୍ତ ନଅଟି ଟି-୨୦ ବିଶ୍ଵକପ୍ ଖେଳିଛନ୍ତି।
ଟି-୨୦ ବିଶ୍ଵକପ୍ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି। ବିଶ୍ଵକପର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ଫେବୃଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଆଇସିସି ଚାରି ଜଣ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଥିଲା। ଯୁବରାଜ ସିଂହ, ଶାହିଦ ଆଫ୍ରିଦି, କ୍ରିସ୍ ଗେଲ୍ ଏବଂ କିମ୍ବଦନ୍ତୀ ଅଲିମ୍ପିଆନ୍ ଉସେନ୍ ବୋଲ୍ଟଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରାଯାଇଥିଲା।
ଯଦିଓ ରୋହିତ ଶର୍ମା ୨୦୨୬ ଟି-୨୦ ବିଶ୍ୱକପରେ ଖେଳିବେ ନାହିଁ, ବ୍ରାଣ୍ଡ ଆମ୍ବାସାଡର ଭାବରେ, ତାଙ୍କୁ ମ୍ୟାଚ୍ ସମୟରେ ଅନେକ ଥର ପଡ଼ିଆରେ ଦେଖିବାକୁ ମିଳିବ। ରୋହିତ ଶର୍ମା ୨୦୨୪ରେ ଟି-୨୦ ବିଶ୍ୱକପ ଜିତିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ। ତାଙ୍କ ପୂର୍ବରୁ ଏମଏସଧୋନି ୨୦୦୭ରେ ଭାରତ ପାଇଁ ଟି-୨୦ ବିଶ୍ଵକପ୍ ଜିତିଥିଲେ।
Also read: ଫେବୃଆରୀ ୭ରେ ଟି-୨୦ ବିଶ୍ଵକପ୍ ଆରମ୍ଭ, ଏହି ଦିନ ଭାରତ-ପାକିସ୍ତାନ ବିଗ୍ ଫାଇଟ୍