ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ଧର୍ମଧ୍ଵଜା କାର୍ଯ୍ୟକ୍ରମ ଉପରେ ଟିପ୍ପଣୀ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଭାରତ ପାକିସ୍ତାନକୁ ସ୍ପଷ୍ଟ ଶବ୍ଦରେ କହିଛି ଯେ, ଆମକୁ ଉପଦେଶବାଣୀ ଦିଅ ନାହିଁ। ଯାହାର ଆତଙ୍କବାଦ ଓ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ଲମ୍ବା ରେକର୍ଡ ରହିଛି, ସେହି ଦେଶ ଅନ୍ୟକୁ ଲେକଚର ଦେବାର କୌଣସି ନୈତିକ ଅଧିକାର ନାହିଁ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ପାକିସ୍ତାନକୁ ଲୋକ ଦେଖାଣିଆ ଉପଦେଶ ଦେବା ପରିବର୍ତ୍ତେ ନିଜର ଖରାପ ମାନବାଧିକାର ରେକର୍ଡ ଉପରେ ଧ୍ୟାନ ଦେବା ଉଚିତ୍। ପଡ଼ୋଶୀ ଆମର ଏମିତି ଏକ ଦେଶ ଯେଉଁଠି ସଂଖ୍ୟାଲଘୁଙ୍କ ସହ କଠୋରତା, ଦମନ ଓ ଆତଙ୍କବାଦର ଅନେକ ରେକର୍ଡ ରହିଛି। ପାକିସ୍ତାନକୁ ଅନ୍ୟ ଦେଶକୁ ଉପଦେଶବାଣୀ ଦେବାର କୌଣସି ନୈତିକ ଅଧିକାର ନାହିଁ।
ଜୟସ୍ଵାଲ କହିଛନ୍ତି, ପାଖଣ୍ଡି ଉପଦେଶ ଦେବା ପରିବର୍ତ୍ତେ, ନିଜ ଭିତର ସ୍ଥିତି ଆଗେ ଦେଖିବା ଉଚିତ୍। ନିଜର ଖରାପ ମାନବାଧିକାର ରେକର୍ଡ ଉପରେ ଧ୍ୟାନ ଦେବା ଉଚିତ୍। ଅଯୋଧ୍ୟା ରାମ ମନ୍ଦିରର ଧର୍ମଧ୍ଵଜା ସ୍ଥାପନକୁ ପାକିସ୍ତାନ ବିରୋଧ କରିଥିଲା। ଏହାର ଜବାବ ଦେଇ ଜୟସ୍ଵାଲ ଉପରୋକ୍ତ ବୟାନ ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରର ଚୂଡ଼ାରେ ଧର୍ମଧ୍ଵଜା ସ୍ଥାପନ କରିଥିଲେ। ଏହା ସହ ରାମ ମନ୍ଦିର ନିର୍ମାଣ ସଂପନ୍ନ ହୋଇଥିବା ଘୋଷଣା କରିଥିଲେ ପିଏମ ମୋଦୀ। ଏହି ଅବସରରେ ଆରଏସଏସ ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତ ଉପସ୍ଥିତ ଥିଲେ। ଧ୍ଵଜାରୋହଣକୁ ପିଏମ ମୋଦୀ ଯୁଗାନ୍ତକାରୀ ବୋଲି ଦର୍ଶାଇଥିଲେ।
Also read: ୨୫ ବର୍ଷ ପରେ ଫେରିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅହମ୍ମଦାବାଦରେ ହେବ ଆୟୋଜନ, ପାଳନ ହେବ ୧୦୦ ବର୍ଷ