ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଚୂଡାରେ ଧର୍ମଧ୍ୱଜାର ସ୍ଥାପନକୁ ନେଇ ବିଳିବିଳେଇ ଉଠିଛି ପାକିସ୍ତାନ । ପଡୋଶୀ ଦେଶ ପୁଣି ଥରେ ବାବ୍ରି ମସଜିଦ ପ୍ରସଙ୍ଗ ଉଠାଇଛି । ଭାରତ ଉପରେ ମୁସଲିମଙ୍କୁ ନିଚ୍ଚ ଦେଖାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛି । ସଂଖ୍ୟାଲଘୁଙ୍କ ଅଧିକାରର ହନନ ଏବଂ ଆତଙ୍କବାଦ ପ୍ରଚାର କରାଉଥିବା ଅଭିଯୋଗରେ ଖୋଦ୍ ଘେରି ହୋଇଥିବା ପାକିସ୍ତାନ ମିଳିତ ଜାତିସଂଘରେ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ଦାବି କରିଛି । ତେବେ ଭାରତ ପକ୍ଷରୁ ଏହା ଉପରେ ଅଦ୍ୟାବଧି କୌଣସି ଜବାବ ଦିଆଯାଇ ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖର ଉପରେ ବୈଦିକ ମନ୍ତ୍ରପୋଚାର ମଧ୍ୟରେ ଧର୍ମଧ୍ୱଜାକୁ ସ୍ଥାପନ କରିଛନ୍ତି । ଏହି ଐତିହାସିକ କାର୍ଯ୍ୟ ସହ ମନ୍ଦିରର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ସରିଥିବା ଘୋଷଣା କରିଥିଲେ ପିଏମ ମୋଦୀ । ଏହି ଧ୍ୱଜା ପାରମ୍ପରିକ ଉତ୍ତର ଭାରତୀୟ ନାଗର ଶୈଳୀରେ ନିର୍ମିତ ଶିଖରରେ ଲଗାଯାଇଛି ।
କଣ କହୁଛି ପାକିସ୍ତାନ
ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନ ଅଯୋଧ୍ୟାରେ ଐତିହାସିକ ବାବ୍ରି ମସଜିଦ ସ୍ଥାନରେ ନିର୍ମିତ ତଥାକଥିତ ରାମ ମନ୍ଦିର ଉପରେ ଧର୍ମଧ୍ୱଜା ସ୍ଥାପନ ଉପରେ ଚିନ୍ତା ପ୍ରକାଶ କରିଛି । ଶହ ଶହ ପୁରୁଣା ବର୍ଷର ପ୍ରାର୍ଥନା ସ୍ଥଳକୁ ୧୯୯୨ ଡିସେମ୍ବର ୬ରେ କଠୋରପନ୍ଥୀ ଭାଙ୍ଗି ଦେଇଥିଲେ । ଏହା ପରେ ଭାରତରେ ନ୍ୟାୟିକ ପ୍ରକ୍ରିୟାରେ ମସଜିଦ ନିର୍ମାଣ ସ୍ଥଳରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦିଆଗଲା । ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ କରାଯାଉଥିବା ପାକିସ୍ତାନ ୟୁଏନରେ ଅଭିଯୋଗ କରିଛି ।
ପାକିସ୍ତାନ କହିଛି, ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଚାପ ପକାଯାଉଛି । ମୁସଲିମ ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟକୁ ଜାଣିଶୁଣି ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଛି । ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମୁଦାୟର ହସ୍ତକ୍ଷେପ ଦାବି କରିଛି ।
Also read: ମୋ ପରି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା... ଏହା ହେଉଛି ସମ୍ବିଧାନର ଶକ୍ତି: ମୋଦୀ