ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସରେ କ୍ଷମତାକୁ ନେଇ ଜାରି ସଂଘର୍ଷ ଉପରେ ଶୀଘ୍ର ବିରାମ ଲାଗିପାରେ । ସଦ୍ୟତମ ଖବର ଅନୁଯାୟୀ, କଂଗ୍ରେସର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଜାରି ଟଣାଓଟରାକୁ ନେଇ ଶୀଘ୍ର ବୈଠକ ଡକାଇ ପାରନ୍ତି । ଦୁଇ ନେତାଙ୍କୁ ଦିଲ୍ଲୀ ପାଇଁ ତଲବ କରାଯାଇପାରେ । ଖାସ୍ କଥା ୨୦୨୩ ମେରେ ଦୁଇ ନେତାଙ୍କ ମଧ୍ୟରେ ଏକ ରାଜିନାମା ହୋଇଥିଲା । ଏହାରି ଆଧାରରେ ଉଭୟ ଅଢେଇ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । କିନ୍ତୁ ସାର୍ବଜନୀନ ଭାବେ ଏହାର ଘୋଷଣା ହୋଇ ନ ଥିଲା ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, କଂଗ୍ରେସ ହାଇକମାଣ୍ଡ ଡିସେମ୍ବର ୧ ପୂର୍ବରୁ କର୍ଣ୍ଣାଟକ ଉପରେ ବଡ ନିଷ୍ପତ୍ତି ନେଇ ପାରନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବୈଠକ ହୋଇପାରେ । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଋିପୋର୍ଟ ଅନୁଯାୟୀ, ସିଦ୍ଧରମୈୟାଙ୍କ ଘନିଷ୍ଠ ନେତା କହିଛନ୍ତି, ତାଙ୍କୁ ପୂରା ଭରସା ଯେ, ରାହୁଲ ଗାନ୍ଧୀଙ୍କ ସମର୍ଥନ ମିଳିବ । ଏହା ସହିତ ସେ ସଙ୍କେତ ଦେଇଛନ୍ତି ଯେ, ସିଦ୍ଧରମୈୟାଙ୍କ ପାଖରେ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପଟେ ଶିବକୁମାରଙ୍କ ସମର୍ଥକ ବିଧାୟକ ଇକବାଲ ହୁସେନ ଘୋଷଣା କରିଛନ୍ତି ଯେ, ତାଙ୍କ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ଚୂଡାନ୍ତ ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ନେବେ ବୋଲି କହିଛନ୍ତି ।
ଦିଲ୍ଲୀରୁ ଫେରିଲେ ବିଧାୟକ
ଦିଲ୍ଲୀ ଯାଇଥିବା ଶିବକୁମାରଙ୍କ କିଛି ସମର୍ଥକ ବିଧାୟକ ବେଙ୍ଗାଲୁରୁ ଫେରି ଆସିଛନ୍ତି । ମଙ୍ଗଳବାର କିଛି ନେତା କହିଥିଲେ ଯେ, ନେତୃତ୍ୱ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ । କିଛି ବିଧାୟକଙ୍କ କହିବା କଥା ସେମାନେ ହାଇକମାଣ୍ଡଙ୍କୁ ଏହି ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି । ତେବେ ଏବେ ସଭିଙ୍କ ନଜର ପାର୍ଟି ହାଇକମାଣ୍ଡଙ୍କ ଉପରେ ରହିଛି ।
Also read: ମୋ ପରି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା... ଏହା ହେଉଛି ସମ୍ବିଧାନର ଶକ୍ତି: ମୋଦୀ