ବଲାଙ୍ଗୀର: ପୁଅ ବର ହୋଇ ବସିଥିବା ଗାଡ଼ି ତଳେ ଚାପି ହୋଇ ଚାଲିଗଲା ବାପାଙ୍କ ପ୍ରାଣ । ସେହିପରି କନ୍ୟାର ସମ୍ପର୍କୀୟ ଭାଇ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ମଣ୍ଡଳ ଗାଁରୁ ଆସିଛି ଏଭଳି ହୃଦୟ ବିଦାରକ ଖବର । ମୃତକ ହେଲେ ସଦର ଥାନା ଆମପାଲି ଗାଁର ଚୈତନ୍ୟ ବାଗ (୫୫) ।
ଗତକାଲି ଆମପାଲି ଗାଁର ଚୈତନ୍ୟଙ୍କ ପୁଅ ଦୁଃଖୀଶ୍ୟାମଙ୍କର ବିବାହ ଘର ଥିଲା । ରାତିରେ ବରଯାତ୍ରୀ ବାହାରି ମଣ୍ଡଳ ଗାଁରେ ପହଁଚିଥିଲା । ଚାଲିଥିଲା ବରଯାତ୍ରୀ ପ୍ରୋସେସନ୍, ଡିଜେ ବାଜାର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ । କିନ୍ତୁ ଏହି ଖୁସିର ସମୟ ଆଉ ବେଶି ସମୟ ରହିଲା ନାହିଁ । ଯେଉଁ ଗାଡ଼ିରେ ପୁଅ ବର ହୋଇ ବସିଥିଲା ସେହି ଗାଡ଼ି ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ବାପା । ବରଗାଡ଼ି ବରର ବାପା ଏବଂ କନ୍ୟାଙ୍କ ସମ୍ପର୍କୀୟ ଭାଇଙ୍କ ଉପରେ ମାଡ଼ି ଯାଇଥିଲା । ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ । କନ୍ୟାଙ୍କ ଭାଇଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଉତ୍ତ୍ୟକ୍ତ ଗ୍ରାମବାସୀ ବରଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଖବର ପାଇ ବେଲପଡା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ।