ଢେଙ୍କାନାଳ: କୃଷକ ଓ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ଉଦ୍ୟେଶ ନେଇ ମଙ୍ଗଳବାର କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ଠାରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର 10ଟି କୃଷକ ଉତ୍ପାଦକ ସଂଗଠନ ର 25 ଜଣ ନିର୍ଦେଶକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ୟେଶ ଥିଲା ଜିଲ୍ଲା ରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କର କୃଷି ଭିତ୍ତିକ ଦକ୍ଷତା ବିକାଶ କରିବା ଓ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବା ନେଇ ଜ୍ଞାନ କୌଶଳ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମ ରେ କୃଷକ ଉତ୍ପାଦକ ସଂଗଠନ ର ପରିଚାଳନା, ବ୍ୟବସାୟିକ ଯୋଜନା ପ୍ରସ୍ତୁତି, ଓ ମାର୍କେଟ ରିସର୍ଚ୍ଚ ଆଦି ବିଷୟବସ୍ତୁ ରେ ତାଲିମ ପ୍ରଦାନ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମ ରେ ପାଲାଡିୟମ ଗ୍ରୁପ ର ଏଗ୍ରି ମାର୍କେଟ ଏକ୍ସପୋର୍ଟ ଶ୍ରୀ ଅଜିତ ମହାନ୍ତ ଯୋଗ ଦେଇ ସଂଘବଦ୍ଧ ବଜ଼ାର ରଣନୀତି ଓ ସିଧା ବଜାର ସଂଯୋଗ କରି କିପରି ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ।
ଏହାସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଏଫ. ପି. ଓ ର ନିର୍ଦେଶକ ମାନେ ନିଜର ବିପଣନ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଶ୍ରୀ ନାରାୟଣ କଟୁଆ, ଜିଲ୍ଲା ସଂଯୋଜକ, ଜି. ଟି. ଭାରତ ଫାଉଣ୍ଡେସନ ଓ ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନ, ପରିଚାଳକ,ସି. ଆଇ. ଏଲ ଓ କୃଷକ ଉତ୍ପାଦକ ସଂଗଠନ କିପରି ଆର୍ଥିକ ସୁବିଧା ପ୍ରାପ୍ତି କରିପାରିବେ ଏବଂ ବ୍ୟବସାୟ ବଢ଼ାଇ ପାରିବେ ସେ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଡ଼ଃ ବିମଳେନ୍ଦୁ ମହାନ୍ତି କୃଷକ ଉତ୍ପାଦକ ସଂଗଠନ ମାନେ କିପରି ବ୍ୟବସାୟ କୁ ଆଗକୁ ବଢ଼ାଇବେ ସେ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ କୃଷି ସମ୍ପ୍ରସାରଣ ବୈଜ୍ଞାନିକ ଡ଼ଃ ରୋଜାଲିନ ମହାନ୍ତ ପରିଚାଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀମାନେ ତାଲିମ କାର୍ଯ୍ୟକ୍ରମ ସୁଚାର ରୂପେ ପରିଚାଳନା ନିମନ୍ତେ ସହାୟତା କରିଥିଲେ।