ଭୁବନେଶ୍ୱର: ଡିସେମ୍ବର ପହିଲାରେ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଥିବା ନିଷ୍ପତ୍ତିରୁ ରାଜ୍ୟ ବସ୍ ମାଲିକ ସଂଘ ଓହରିଛି । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ସଂଘ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିବା ନେଇ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।
ରାଜ୍ୟ ସରକାରଙ୍କ ତରଫରୁ ଯାନବାହାନ ଚେକିଂ କରିବା ନିମନ୍ତେ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ବସ୍ ମାଲିକ ସଂଘ ତୀବ୍ର ବିରୋଧ କରିଥିଲା । ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଂଘ ଦାବି କରିଥିଲା । ଯଦି ସରକାର ନିଜ ପ୍ରତିଶ୍ରୁତିରୁ ନ ଓହରନ୍ତି ତେବେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରାଯିବ ବୋଲି ସଂଘ ଚେତାବନୀ ଦେଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସଂଘ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସଂଘର ଏକ ପ୍ରତିନିଧି ମଣ୍ଡଳୀ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ତେବେ ରାଜ୍ୟ ସରକାର ପୋଲିସ ଦ୍ୱାରା ଗାଡ଼ି ଚେକିଂ ବ୍ୟବସ୍ଥା ଲାଗୁ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଫଳରେ ଡିସେମ୍ବର ୧ରୁ ହେବାକୁ ଥିବା ବନ୍ଦ ଡାକରା ପ୍ରସ୍ତାବ ପ୍ରତ୍ୟାହୃତ ହୋଇଛି ।