ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓଡ଼ିଶାରେ ପହଁଚିଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି ରାଜଭବନରେ ଅଛନ୍ତି । ଆଉ କିଛି ସମୟ ପରେ ବିଧାନସଭାରେ ପହଁଚି ଗୃହକୁ ସମ୍ବୋଧିତ କରିବେ ।
ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଚିବା ପରେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲ ତୋଡ଼ା ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ଥିଲେ ରାଷ୍ଟ୍ରପତି । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ପୁରୁଣା ସ୍ମୃତି ଉଜ୍ଜୀବିତ ହେବ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।