ଭୁବନେଶ୍ୱର: ଆଜିଠୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବେ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ଆଗମନ ପାଇଁୱ ବ୍ଲୁ-ବୁକ୍ ଗାଇଡ଼ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବିଧାନସଭା ପରିସରେ ପୋଲିସ ଛାଉଣି ହୋଇଗଲାଣି।
ପୋଲିସ କମିଶନର ମଙ୍ଗଳବାର ବିଧାନସଭା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ। ଅଧିବେଶନ ସମୟରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମୁତୟନ ରହିବେ। ଡିସିପିଙ୍କ ତତ୍ୱାବଧାନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ।
ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଲଗାଯାଇଛି। ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି। କଣ୍ଟ୍ରୋଲ୍ ରୁମ୍ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ। ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବେ। ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି। ଲୋୟର ପିଏମଜି ରେ ୧୪୪ ଧାରା ଜାରି କରାଯିବ।
ଅଧିକ ପଢନ୍ତୁ : ଗୁରୁବାର ଓଡିଶା ବିଧାନସଭା ପାଇଁ ଐତିହାସିକ ଦିନ, ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି