ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଯୁବପୀଢ଼ିଙ୍କ ଅତି ପସନ୍ଦର ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଆଜକୁ ୧୦ ଦିନ ପୁରିଗଲାଣି । ତଥାପି ଲୋକେ ହ୍ୟୁମାନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଅତ୍ୟଧିକ କାମର ଚାପ ଏବଂ ପରିଚାଳନା ଟିମର ଚାପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଆସୁଛି । ସେପଟେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଳ ମାଳ ମାମଲା ଆସିବାରେ ଲାଗିଛି । ତାଙ୍କର ମ୍ୟାନେଜର ଦିନେଶ ବେହେରା ଓରଫ୍ ପପୁ ଏବଂ ପ୍ରଶାନ୍ତ ବେହେରାଙ୍କ ନାଁରେ ବଢ଼ି ଚାଲିଛି ମାମଲା । ସେମାନଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ଆଡ଼ୁ ଦାବି କରାଯାଉଛି ।
ଆଜି ନିର୍ଦ୍ଦେଶକ ଜିତୁ ରାଉତ ହ୍ୟୁମାନଙ୍କ ୩ ସହଯୋଗୀଙ୍କ ବିରୁଦ୍ଧରେ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ଆର୍ଥିକ କାରବାର ଏବଂ ଚିକିତ୍ସାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍କି । ହ୍ୟୁମାନଙ୍କ କଷ୍ଟ ଅର୍ଜିତ ଧନର ହେରଫେର କରାଯିବା ସହିତ ମ୍ୟାନେଜର ଏବଂ ଟିମ୍ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିଛନ୍ତି ବୋଲି ଜିତୁ ରାଉତ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ହ୍ୟୁମାନଙ୍କ ପରିବାରବର୍ଗଙ୍କୁ ନ୍ୟାୟ, ସୁରକ୍ଷା ପ୍ରଦାନ କରାଯାଉ ବୋଲି ଆଜି ଜିତୁ ଏବଂ ତାଙ୍କର ସହଯୋଗୀ ଦାବି କରିଛନ୍ତି ।
ଗତକାଲି ବଲାଙ୍ଗିର ଟାଉନ୍ ଥାନାରେ ଖ୍ରୀଷ୍ଟିୟାନ ୟୁଥ୍ ଫୋରମ୍ ପକ୍ଷରୁ ଏତଲା ଦିଆଯାଇଛି । ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା ପରେ ଥାନାରେ ଏତଲା ଦିଆଯାଇଥିଲା । ହ୍ୟୁମାନଙ୍କ ୨ ମ୍ୟାନେଜର ଓ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦାୟୀ କରି ତଦନ୍ତ ଦାବି କରିଛନ୍ତି । ଏସପିଙ୍କୁ ମଧ୍ୟ ଭେଟି ଅଭିଯୋଗ କରିଛନ୍ତି ଖ୍ରୀଷ୍ଟିୟାନ ୟୁଥ୍ ଫୋରମ୍ ।
ଏହା ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ହୋଇସାରିଲାଣି । କିଏ ଜାତୀୟ ମାନବାଧିକାରଙ୍କ ଦ୍ୱାରସ୍ଥ ହେଲେଣି ତ ଆଉ କିଏ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେଣି । ହ୍ୟୁମାନଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସାଂସ୍କୃତିକ ସଂଗଠନ ଓ କୋଶଳ ବାଦୀ ସଂଗଠନ ଅଭିଯୋଗ ଆଣି ବଲାଙ୍ଗୀର ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ସଇଁତଳା ଥାନାରେ ମ୍ୟାନେଜର ପ୍ରଶାନ୍ତ ବେହେରା ଏବଂ ଦିନେଶ ବେହେରା ନାମରେ କୋଶଳ ମୁକ୍ତି ମୋର୍ଚ୍ଚା ଏତଲା ଦେଇଛି ।
ଉତ୍କଳୀୟମ୍ ଫାଉଣ୍ଡେସନ ପକ୍ଷରୁ ଜାତୀୟ ମାନବିକ ଅଧିକାର କମିଶନରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ମାମଲା ରୁଜୁ ହୋଇଛି । ହ୍ୟୁମାନ ସାଗରଙ୍କର ମୃତ୍ୟୁ ପଛର ଷଡ଼ଯନ୍ତ୍ରକାରୀ ଓ ତାଙ୍କ ମା’ଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ଦାବି ହୋଇଛି ।
ତେବେ ସବୁଥିରେ ଗୋଟିଏ ଅଭିଯୋଗ, ଏତେ ଅସୁସ୍ଥ ଥିବା ସତ୍ୱେ ହ୍ୟୁମାନଙ୍କୁ କାହିଁକି ଷ୍ଟେଜ୍ ଶୋ ପାଇଁ ନିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ୧୭ ତାରିଖ ରାତିରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ହୋଇଥିଲା । ସେ ଏକାଧିକ ରୋଗରେ ପୀଡ଼ିତ ଥିବା ବେଳେ ନଭେମ୍ୱର ୧୪ରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଶତ ଚେଷ୍ଟା ସତ୍ତ୍ୱେ ହ୍ୟୁମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା ।