ଭୁବନେଶ୍ୱର: ପୁଣିଥରେ ବିଜେଡି ନେତାଙ୍କୁ ତେରେଛା ତୀର ମାରିଛନ୍ତି ଶ୍ରୀମୟୀ ମିଶ୍ର। କବିତାରେ ପାଣ୍ଡିଆନଙ୍କୁ ତେରେଚ୍ଛା ‘ଅଠା’ ଆକ୍ରମଣ କରିଛନ୍ତି। ଅନ୍ୟ ମୁଣ୍ଡରେ ଅଠା ବୋଳ, ଏହା ହେଉଛି ତାମିଲ୍ ଖେଳ… କହି ପୁଣି ଘେରିଛନ୍ତି ଶ୍ରୀମୟୀ। ଗତକାଲି ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଥିବା ବେଳେ ଆଜି ସିଧାସଳଖ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି। ଶ୍ରୀମୟୀଙ୍କ ଏହି ପୋଷ୍ଟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।
ପୋଷ୍ଟରେ ଶ୍ରୀମୟୀ କହିଛନ୍ତି ଯେ, "ଅନ୍ୟ ମୁଣ୍ଡରେ ଅଠା ବୋଳ ଏହା ହେଉଛି ତାମିଲ ଖେଳ। ଅନାମ ବାବୁଙ୍କ ମୁହଁରେ କୁହାଇ ପୁରୁଖାଙ୍କୁ ଦେଉଛି ସେ ଫସାଇ। ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ, ଖୋଜା ଚାଲିଛି ବିଶ୍ୱସ୍ତ ଏଜେଣ୍ଟ। ଧମକ ଦେଲେଣି ପାଲତୁ ବାବୁ, ମୁଣ୍ଡପୋତି ସହୁଛନ୍ତି ବରିଷ୍ଠ ସବୁ, ଧନ୍ୟରେ ଆମ ବିଜୁ ପ୍ରେମୀ, ହୋଇଗଲେ ସବୁ ଭଣ୍ଡ ଅନୁଗାମୀ"।
ଖାଲି ଆଜି ନୁହେଁ ଲଗାତାର କିଛି ମାସ ଧରି ଶ୍ରୀମୟୀଙ୍କ ଟାର୍ଗେଟରେ ବିଜେଡି ଓ ପାଣ୍ଡିଆନ ରହିଥିବା ବେଳେ ସେ ସବୁବେଳେ କିଛି ନା କିଛି ପୋଷ୍ଟ କରୁଛନ୍ତି। ଏହା ପୂର୍ବରୁ ଶ୍ରୀମୟୀଙ୍କ ଅନେକ ପୋଷ୍ଟ ଭାଇରାଲ୍ ହୋଇଛି। ପ୍ରଥମ ଧୃତରାଷ୍ଟ୍ର ଆଉ ଭଣ୍ଡ ସନ୍ନ୍ୟାସୀ ପୋଷ୍ଟ ଆଉ ତା ପରେ ପରେ ନୂଆପଡ଼ା ପରାଜୟ ପଛର କାରଣକୁ ନେଇ ବିଜେଡିକୁ ସବୁବେଳେ ସିଧା ନିଶାନା କରିଛନ୍ତି ଶ୍ରୀମୟୀ। ଶ୍ରୀମୟୀ ମିଶ୍ର ଦଳରୁ ନିଲମ୍ବିତ ହେବା ପରେ ଅନେକ ଥର ଦଳର କାର୍ଯ୍ୟପନ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେଡ଼ି କିଭଳି ତାମିଲ ବାବୁଙ୍କ ଇଙ୍ଗିତରେ ପରିଚାଳିତ ହେଉଛି, ତାହାକୁ ଲୋକ ଲୋଚନକୁ ଆଣିବାକୁ ଅନେକ ପ୍ରୟାସ କରୁଛନ୍ତି। ଆଉ ଏହାରି ଭିତରେ ଆଜି ତାଙ୍କ ଏହି ନୂଆ ପୋଷ୍ଟ ପୁଣିଥରେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
ଅଧିକ ପଢନ୍ତୁ: ତାମିଲ ବୋହୂ ହାତରେ ଦଳ ଟେକି ଦେବାକୁ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର