କଟକ: ଅନୁପ୍ରବେଶକାରୀ ବାଂଲାଦେଶୀ ଚିହ୍ନଟ ଓ ଦେଶାନ୍ତର ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ। ତିନି ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏଥିପାଇଁ ଆବଶ୍ୟକୀୟ ଟାସ୍କ ଫୋର୍ସ ଗଠନ ହୋଇଛି ନା ନାହିଁ ସେନେଇ ଜବାବ ଦେବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତେବେ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡିଶାରେ ରହି ଆସୁଥିବା ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ଆବେଦନକାରୀ ଓକିଲ ଶିବ ଶଙ୍କର ମହାନ୍ତି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।
ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଧରପକଡ ନୀତି ଗ୍ରହଣ କରିଛନ୍ତି ସରକାର। ଅନୁପ୍ରବେଶକାରୀଙ୍କ ଘର ଭଙ୍ଗାଯିବା ସହ ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଦିନକୁ ଦିନ ଦେଶରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ଗତ ୨୦୦୯ ମସିହାରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରୀ କରିଥିଲେ। ସମସ୍ତ ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ କରିବା ସହ ସେମାନଙ୍କୁ ବିତାଡିତ କରିବାକୁ ଟାସ୍କ ଫୋର୍ସ କାମ କରିବ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା।
ଏସବୁ ସତ୍ତ୍ୱେ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ବଢ଼ିବାରେ ଲାଗିଛି ବୋଲି ଆବେଦନକାରୀ ଆଇନଜୀବୀ ଶିବଶଙ୍କର ମହାନ୍ତି ଅଭିଯୋଗ କରିଛନ୍ତି। ଅନୁପ୍ରବେଶକାରୀ ମାନେ ଲୁଚି ଛପି ରାଜ୍ୟର ବିଭିନ୍ନ ସ୍ଥାନରେ ଆଡ୍ଡା ଜମାଇବାରେ ଲାଗିଛନ୍ତି। ମିଛ ପ୍ରମାଣ ପତ୍ର ଜରିଆରେ ଆଧାର କାର୍ଡ ଏବଂ ଭୋଟର କାର୍ଡ କରି ନାଗରିକଙ୍କ ଅଧିକାର ଉପରେ ବାଧା ସୃଷ୍ଟି କରୁଥିବା ଆବେଦନକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି।
ଏହି ଆବେଦନର ଶୁଣାଣି କରିଛନ୍ତି ଓଡ଼ିଶା ହାଇକୋର୍ଟ ବିଚାରପତି। ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ ଏବଂ ଦେଶାନ୍ତର ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ତଥ୍ୟ ଲୋଡିଛନ୍ତି। ଏଥିପାଇଁ ଆବଶ୍ୟକୀୟ ଟାସ୍କ ଫୋର୍ସ ଗଠନ ହୋଇଛି ନା ନାହିଁ ସେନେଇ ଜବାବ ଦେବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବାକୁ ଯାଉଛି।