ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ଗିରଫ ହୋଇ ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର ଓ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ମୂଳ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା। ସିବିଆଇ ଦଳ ସୋମବାର ଅପରାହ୍ଣରେ ଗଞ୍ଜାମ ଜିଲା ଅଦାଲତ ପରିସରରେ ପହଞ୍ଚିଥିଲା।
ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ସିବିଆଇ ଟିମ ଗତକାଲିଠାରୁ ବ୍ରହ୍ମପୁରରେ ଡେରା ପକେଇ ରହିଥିଲା। ଆଇନଗତ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଗତକାଲି ଏହି ମାମଲା ବ୍ରହ୍ମପୁର ଜେଏମଏଫସି କୋର୍ଟରୁ ସିବିଆଇ କୋର୍ଟକୁ ହସ୍ତାନ୍ତର ହୋଇପାରିନଥିଲା। ତେଣୁ ଅଭିଯୁକ୍ତଙ୍କୁ ବି ସ୍ଥାନାନ୍ତର କରାଯାଇ ପାରିନଥିଲା। ପରେ ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
କୋର୍ଟ ଅନୁମୋଦନ ପରେ ସନ୍ଧ୍ୟା ସାଢେ ୭ଟା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ବର ଅଭିମୁଖେ ନିଆଯାଇଥିଲା। ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଗଞ୍ଜାମ ଜିଲା ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ବରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ବଜିତ ହରିଚନ୍ଦନ ଓ ତଫିମ ଅହମ୍ମଦ ଖାନଙ୍କୁ ସ୍ଥାନାନ୍ତର କରାଯାଇଛି।
ବ୍ରହ୍ମପୁର ପୁଲିସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ବେଳେ ଅଭିଯୁକ୍ତଙ୍କୁ ଗିରଫ ପରେ ଏଠାକାର ଅଦାଲତରେ ହାଜର କରାଯାଇ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଇଥିଲା। ସିବିଆଇ ଏହି ମାମଲାର ତଦନ୍ତଭାର ନେବା ପରେ ମାମଲାକୁ ସିବିଆଇ ଅଦାଲତକୁ ହସ୍ତାନ୍ତର ପାଇଁ ଜେଏମଏଫସି ଅଦାଲତରେ ପିଟିସନ ଦାଖଲ କରିଥିଲା। ସେହିପରି ମଣ୍ଡଳ କାରାଗାରରେ ରହୁଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବରର ଝାରପଡ଼ା ଜେଲକୁ ସ୍ଥାନାନ୍ତର ପାଇଁ ସିବିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା। ପୂର୍ବରୁ ମଣ୍ଡଳ କାରାଗାରରେ ରହୁଥିବା ୧୧୪ ଜଣ ଏସଆଇ ଚାକିରି ଆଶାୟୀଙ୍କୁ ଅଦାଲତ ପକ୍ଷରୁ ଜାମିନ ମିଳିବା ପରେ ସେମାନେ ମୁକୁଳିଛନ୍ତି।
ପୂର୍ବରୁ ମାମଲା ବ୍ରହ୍ମପୁର ଜେଏମଏଫସି କୋର୍ଟରୁ ଥିବା ବେଳେ ଭୁବନେଶ୍ବର ସ୍ପେସାଲ୍ ସିଜେଏମ୍ କୋର୍ଟକୁ ସ୍ଥାନାନ୍ତର ହେବ। ସାମ୍ବା, ଶଙ୍କର ପୃଷ୍ଟି, ସୁରେଶ ନାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍କୁ ସ୍ଥାନାନ୍ତର କରାଯିବ। ଝାରପଡ଼ା ଆସିବା ପରେ ଶଙ୍କର ଓ ସୁରେଶକୁ ସିବିଆଇ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।
ଅଧିକ ପଢନ୍ତୁ: ଦଳୀୟ ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ