ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ନିକଟରେ ସ୍ଥାପିତ ଶ୍ରୀ ମାତା ବୈଷ୍ଣୋଦେବୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏକ୍ସିଲେନ୍ସରେ ଏମବିବିଏସର ପ୍ରଥମ ବ୍ୟାଚରେ ନାମ ଲେଖାକୁ ନେଇ ବିବାଦ ଘନେଇବାରେ ଲାଗିଛି । ବିବାଦର କାରଣ ୫୦ ସିଟରୁ ୪୨ ସିଟରେ ମୁସଲିମ ଛାତ୍ରଙ୍କ ଚୟନ କରାଯାଇଛି । ଏହାକୁ ନେଇ ବିଜେପି, ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ଓ ବଜରଙ୍ଗ ଦଳ କଡା ଆପତ୍ତି ପ୍ରକାଶ କରିଛନ୍ତି । ସେମାନଙ୍କ କହିବା କଥା ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡର ଆର୍ଥିକ ସହଯୋଗରେ ଚାଲିଥିବା ସଂସ୍ଥାରେ ହିନ୍ଦୁ ଛାତ୍ରଙ୍କୁ ପ୍ରାଥମିକତା ମିଳିବା ଉଚିତ୍ ଥିଲା ।
କଣ ପୂରା ମାମଲା
ଏହି ଶିକ୍ଷାନୁଷ୍ଠାନ ଚଳିତ ମାସ ଆରମ୍ଭରେ ନିଟ ମେରିଟ୍ ତାଲିକା ଆଧାରରେ ନିଜର ପ୍ରଥମ ଏମବିବିଏସ ବ୍ୟାଚ୍ ପାଇଁ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିଥିଲା । ମୋଟ୍ ୫୦ ସିଟରେ ୮୫ ପ୍ରତିଶତ ସିଟ୍ ଜମ୍ମୁ-କାଶ୍ମୀରର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖା ଯାଇଥିଲା । ଯୋଗ୍ୟତା ଆଧାରରେ ୪୨ ମୁସଲିମ ଏବଂ ୮ ହିନ୍ଦୁ ଛାତ୍ରଙ୍କ ଚୟନ ହୋଇଛି । ନାମ ଲେଖାର ପୂରା ତାଲିକା ଜାରି ହେବା ପରେ ଭିଏଚପି ଓ ବଜରଙ୍ଗ ଦଳ ଏହାକୁ ପ୍ରତିବାଦ କରି ଖୁବ୍ ବିରୋଧ ପ୍ରଦର୍ଶନ କରିଛନ୍ତି ।
ସଂଗଠନ ଯୁକ୍ତି ବାଢିଛନ୍ତି ଯେ, ଏହି ସଂସ୍ଥା ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ଅର୍ଥରେ ଚାଲିଛି । ଏଥିପାଇଁ ଶିକ୍ଷାନୁଷ୍ଠାନରେ ହିନ୍ଦୁ ଛାତ୍ରଙ୍କୁ ପ୍ରାଥମିକତା ମିଳିବା ଉଚିତ୍ । ବିଜେପି ଏହି ପ୍ରସଙ୍ଗରେ ପୂରା ନାମଲେଖା ପ୍ରକ୍ରିୟା ରଦ୍ଦ କରିବାକୁ ଦାବି କରିଛି । ଦଳ କହିଛି ଶ୍ରାଇନ ବୋର୍ଡକୁ ମିଳୁଥିବା ଦାନ ରାଶି ହିନ୍ଦୁଙ୍କର । ତେଣୁ ଏହି ଅର୍ଥରାଶି ହିନ୍ଦୁଙ୍କ ଉନ୍ନତି ପାଇଁ ବିନଯୋଗ ହେବା ଉଚିତ୍ ।
ରାଜ୍ୟର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ବିରୋଧ ପ୍ରଦର୍ଶନକୁ ଅନୁଚିତ ଓ ଅଣ ସାମ୍ବିଧାନିକ ଦର୍ଶାଇଛନ୍ତି । ସେ କହିଛନ୍ତି, ନାମଲେଖା ସୂଚୀତ ସଂପୂର୍ଣ୍ଣ ଭାବେ ମେରିଟ୍ ଏବଂ ଆଇନଗତ ଉପରେ ଆଧାରିତ । ଉମର ବିଜେପିର ଦାବି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଯଦି ଆପଣ ବିନା ମେରିଟରେ ନାମ ଲେଖାଇବାକୁ ଚାହାନ୍ତି ତେବେ ସୁପ୍ରିମକୋର୍ଟଙ୍କ ଅନୁମତି ନେଇ କି ଆସନ୍ତୁ । ସମ୍ବିଧାନରେ ନିରପେକ୍ଷ ଏକ ଶବ୍ଦ ଅଛି । ଯଦି ଏହା ଆପଣଙ୍କୁ ପସନ୍ଦ ନୁହେଁ ତେବେ ହଟାଇ ଦିଅନ୍ତୁ ।
Also read: ସମ୍ପୂର୍ଣ୍ଣ ହେଲା ୫୦୦ ବର୍ଷର ଅପେକ୍ଷା, ରାମ ମନ୍ଦିରରେ ଧର୍ମ ପତାକା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ