ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ପହିଲାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ଦେବାକୁ ଯାଉଛି । ଏହା ପୂର୍ବରୁ ନଭେମ୍ବର ୩୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା । ରବିବାର ପୂର୍ବାହ୍ନ ୧୧ଟାରେ ବୈଠକ ବସିବାର ସମ୍ଭାବନା ରହିଛି । ଏ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ସୂଚନା ଦେଇଛନ୍ତି । ଏଥିରେ ସମସ୍ତ ଦଳର ଶୀର୍ଷ ନେତୃତ୍ୱମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୁରୁଖରେ ଗୃହ ପରିଚାଳନା ପାଇଁ ସମସ୍ତଙ୍କ ସହମତି ଲୋଡ଼ାଯିବ ।
ଡିସେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବ । ଏଥର ଶୀତକାଳୀନ ଅଧିବେଶନ ଅନ୍ୟ ଅଧିବେଶନ ତୁଳନାରେ ସ୍ୱଳ୍ପକାଳୀନ ରହିବ । ଏହା ପରେ ଶୀଘ୍ର ବଜେଟ୍ ଅଧିବେଶନ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ୨୦୧୩ରେ ଶୀତକାଳୀନ ଅଧିବେଶନ କେବଳ ୧୪ ଦିନ ଥିଲା । ଏହା ଡିସେମ୍ବର ୫ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଚାଲିଥିଲା । ହେଲେ ଏଥର ଅଧିବେଶନରେ ବିହାର ବିଧାନସଭା ନିର୍ବାଚନର ସ୍ୱର ଶୁଣିବାକୁ ମିଳିପାରେ । ଏହା ବାଦ୍ ଏସଆଇଆର ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇପାରେ ।
ଏହି ଅଧିବେଶନରେ କେନ୍ଦ୍ର ସରକାର ୧୦ଟି ନୂତନ ବିଧେୟକ ପାରିତ କରିବାକୁ ଚେଷ୍ଟା କରିପାରନ୍ତି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଧେୟକ ହେଲା ପରମାଣୁ ଶକ୍ତି ବିଧେୟକ-୨୦୨୫, ଯାହାକି ଦେଶର ନାଗରିକଙ୍କ ପରମାଣୁ କ୍ଷେତ୍ରରେ ଘରୋଇ କମ୍ପାନୀରେ ଖୋଲିବାକୁ ରାସ୍ତା ବାହାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅଧୀନରେ ରହିଛି । ଏଥିରେ ଦେଶର ଶକ୍ତି ଉତ୍ପାଦନ ଏବଂ ବୈଷୟିକ ବିକାଶକୁ ଗତି ଦେବ ବୋଲି ଆଶା ରହିଛି । ସେହିପରି ଭାରତର ଉଚ୍ଚଶିକ୍ଷା ଆୟୋଗ ବିଧେୟକ ପାରିତ କରିପାରନ୍ତି ସରକାର ।