ଅଯୋଧ୍ୟା: ରାମ ମନ୍ଦିର ଚୂଡାରେ ଉଡିଛି ଧର୍ମଧ୍ବଜା । ୧୬୧ ଫୁଟ୍ ଉଚ୍ଚରେ ଗେରୁଆ ରଙ୍ଗର ଧ୍ୱଜ ସ୍ଥାପନ ପରେ ସମବେତ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ମୋହନ ଭାଗବତ । ସଂଘ ପ୍ରମୁଖ କହିଛନ୍ତି, ଧ୍ବଜା ସ୍ଥାପନ ସହ ରାମ ମନ୍ଦିରର ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଏଥିରେ ସେହି ଲୋକଙ୍କ ଆତ୍ମା ତୃପ୍ତ ହୋଇଥିବ ଯେଉଁମାନେ ଏହାକୁ ନେଇ ସଂଘର୍ଷ କରିଛନ୍ତି ଏବଂ ଏହି ଦୁଲର୍ଭ ଦୃଶ୍ୟକୁ ସ୍ୱଚକ୍ଷୁରେ ଦେଖି ପାରି ନାହାନ୍ତି ।
ଭାଗବତ କହିଛନ୍ତି ଏହା ହେଉଛି ସେହି ଧର୍ମଧ୍ବଜା ଯାହାକୁ ରାମରାଜ୍ୟ ସମୟରେ ଉଡା ଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ସଂରକ୍ଷକ ରହିଥିବା ଅଶୋକ ସିଂଘଲ, ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ଓ ବିଷ୍ଣୁ ହରି ଡାଲମିଆ ପରି ଲୋକଙ୍କ ନାଁ ନେଇ ଭାଗବତ କହିଛନ୍ତି, ସେମାନଙ୍କ ଆତ୍ମାକୁ ଆଜି ସନ୍ତୁଷ୍ଟି ମିଳୁଥିବ ।
ସେ କହିଛନ୍ତି, ଏବେ ଆମର ଏହି ସଂକଳ୍ପ ହେବା ଉଚିତ୍ ଯେ, ଏହି ଧର୍ମଧ୍ବଜା ଆହୁରି ପ୍ରତିଷ୍ଠା ହାସଲ କରୁ । ଆମେ ଏମିତି ଏକ ସମାଜର ନିର୍ମାଣ କରିବା, ଯେଉଁଥିରେ ସମରସତା ଥିବ ଏବଂ ଦେଶ ସମୃଦ୍ଧିର ଶିଖରରେ ପହଞ୍ଚିବ । ହିନ୍ଦୁ ସମାଜ ଲଗାତାର ୫୦୦ ବର୍ଷ ଏବଂ ପୁଣି ପରେ ଦୀର୍ଘ ଆନ୍ଦୋଳନ ପରେ ସାବ୍ୟସ୍ତ କରିଛି ଯେ, ନିରନ୍ତରତା ଅଛି ତ ସବୁ ହାସଲ କରାଯାଇ ପାରିବ ।
ଏହି କଥା ଆମକୁ ଭଗବାନ କୃଷ୍ଣ ଓ ସୂର୍ଯ୍ୟ ଦେବତା ବୁଝାଇଛନ୍ତି । ସୂର୍ଯ୍ୟ ପ୍ରତ୍ୟେକ ଦିନ ଉଦୟ ହୁଏ ଏବଂ ଅସ୍ତ ହୁଏ । ଏହାର ପ୍ରକ୍ରିୟା କେବେ ଅଟକି ନାହିଁ । ତେଣୁ ହିନ୍ଦୁ ସମାଜ ମଧ୍ୟ ଅଟକିବା ଉଚିତ୍ ନୁହେଁ । ୫୦୦ ବର୍ଷ ପରେ ଏହି ଗେରୁଆ ଧ୍ୱଜକୁ ଅଯୋଧ୍ୟା ରାମ ମନ୍ଦିରରେ ଦେଖୁଛନ୍ତି ବୋଲି ସଂଘ ପ୍ରମୁଖ କହିଛନ୍ତି ।
ଭାଗବତ କହିଛନ୍ତି, ଆମେ ଯେମିତି ସ୍ୱପ୍ନ ଦେଖିଥୁଲୁ, ସେଥିିରୁ ଅଧିକ ସୁନ୍ଦର ଏବଂ ଭବ୍ୟ ମନ୍ଦିର ନିର୍ମାଣ ହୋଇଗଲା । ଦିବଙ୍ଗତ ପବିତ୍ର ଆତ୍ମାଙ୍କ ଯେଉଁ କଳ୍ପନା ଥିଲା, ସେଥିରୁ ମଧ୍ୟ ଦିବ୍ୟ ଏହି ମନ୍ଦିର । ଏହି ଧର୍ମଧ୍ୱଜ ଯାହାକୁ ଆମେ ଦେଖୁଛୁ, ଏହା ଆମର ଜନ୍ମର ସଫଳତା । ହିନ୍ଦୁ ସମାଜ ଏହି ଦିନ ପାଇଁ ଶହ ଶହ ବର୍ଷ ଧରି ସଂଘର୍ଷ କରି ଆସିଛି ।
Also read: ସମ୍ପୂର୍ଣ୍ଣ ହେଲା ୫୦୦ ବର୍ଷର ଅପେକ୍ଷା, ରାମ ମନ୍ଦିରରେ ଧର୍ମ ପତାକା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ