କଟକ: କଟକ ଟାଙ୍ଗି ୧୬ ନଂ ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଏକ ବୋଲେରୋ କଣ୍ଟେନରକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଏସସିବି ମେଡ଼ିକାଲରେ ଭର୍ତ୍ତି କରିଛି ।
ସୂଚନାନୁସାରେ, ଆଜି ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବୋଲେରୋ ଡିଭାଇଡର ସହ ପ୍ରଥମେ ପିଟି ହୋଇଥିଲା । ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଯାଇଥିଲା । ଖବର ପାଇ ଟଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ ମେଡ଼ିକାଲକୁ ପଠାଇ ଦେଇଛି ।
ବୋଲେରୋଟି କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିଲା ବୋଲି ଜଣାପଡ଼ିଛି । ସେଥିରେ ଖଣିରେ କାମ କରୁଥିବା ଶ୍ରମିକମାନେ ଯାତ୍ରା କରୁଥିଲେ । ସେହିପରି କଣ୍ଟେନରଟି ଭୁବନେଶ୍ୱରରୁ ଚଣ୍ଡିଖୋଲ ଯାଉଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବୋଲେରୋ ଉପର ଭାଙ୍ଗ ସମ୍ପୂର୍ଣ୍ଣ ଉଡ଼ିଯାଇଛି । ତେବେ କଣ୍ଟେନର ଡ୍ରାଇଭର ଏବଂ ହେଲପର୍ ସୁସ୍ଥ ଅଛନ୍ତି । କ୍ରେନ୍ ସାହାଯ୍ୟ ବୋଲେରୋକୁ ରାସ୍ତା ଉପରୁ ହଟାଯାଇଛି । ଦୁର୍ଘଟଣାରେ ଚିତ୍ର ଦେଖିଲେ ବୋଲେରୋଟି ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି । ପୋଲିସ ଯାଞ୍ଚ ଆରମ୍ଭ କରିଛି