କଟକ: କଟକ ଜିଲ୍ଲା ଟାଙ୍ଗୀ ଥାନା ରଜକଣା ଛକରେ ନିକଟରେ ଏକ ଅଘଟଣ ଘଟିଯାଇଛି । ରାସ୍ତାକଡ଼ରେ ଥିବା ଡିଭାଇଡରକୁ ଏକ ବୋଲେରୋ ଧକ୍କା ଦେଇଛି । ଯାହା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ପାଞ୍ଚ ଜଣ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେବା ସହ ପରେ ରାସ୍ତାରେ ଯାଉଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।