ମୟୂରଭଞ୍ଜ: ମିଳିଲା ନିଖୋଜ ଓକିଲଙ୍କ ମୃତଦେହ। ଦୁଇ ମାସ ତଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନିଖୋଜ ଓକିଲଙ୍କ କାରକୁ ପୋଖରୀ ଭିତରୁ ଉଦ୍ଧାର ହୋଇଛି। ଝାରପୋଖରିଆ ଥାନା ଉପରବେଡା ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରୁ କାର ସହ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଠୁଲୁକୁଚଟାଣି ଗାଁର ଗୁଲେସ ଚନ୍ଦ୍ର ଗୋଛାୟତ ଗତ ସେପ୍ଟେମ୍ବର ୧୧ରୁ ନିଖୋଜ ଥିଲେ। ଝାଡ଼ଖଣ୍ଡ ବୋହୋଡାଗୋଡ଼ା ଯାଉଛି କହି ଘରୁ ବାହାରି ଯାଇଥିଲେ। ପରିବାର ଲୋକ ଯୋଗାଯୋଗ କରିବାରୁ ଗୁଲେସ ଗୋଛାୟତ କହିଥିଲେ ମୁଁ ଖଡଗପୁର ପଳାଇ ଆସିଛି, ରାତିରେ ଫେରିବି। ହେଲେ ପରବର୍ତ୍ତୀ ସମୟରେ ମୋବାଇଲ ଫୋନ ସୁଇଚ ଅଫ ହୋଇ ଯାଇଥିଲା। ମନରେ ସନ୍ଦେହ ହେବାରୁ ତାଙ୍କ ସ୍ତ୍ରୀ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳି ନ ଥିଲା। ଆଜି (ସୋମବାର) ସକାଳେ ଝାରପୋଖରିଆ ଥାନା ଉପରବେଡା ଗାଁ ଲୋକେ ପୋଖରୀ ଭିତରେ ଏକ କାର ପଶିଥିବା ଦେଖି ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ପୋଖରୀ ଭିତରୁ କାରକୁ ଉଦ୍ଧାର କରିଥିଲେ। କାର ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି। ଝାରପୋଖରୀଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ରାଜଧାନୀରେ ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି କର୍ମୀ