ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ୍ ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା। ଚଳିତବର୍ଷ ଧାନ କିଣା ଅଧିକ ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମଣ୍ଡି ଗୁଡିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି। ସମବାୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ୍ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଧାନ କିଣା ସହ କଟନୀ ଛଟନୀ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି।
ସେହିପରି ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗ ଚାଷୀମାନଙ୍କଠାରୁ ଧାନ କିଣା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ଧାନ ସଂଗ୍ରହ ପରିଚାଳନା ନେଇ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି । ସମସ୍ତ ଜିଲ୍ଲାରେ ଧାନ ଚାଷ ହୋଇଥିବା ଅଞ୍ଚଳ ବାବଦରେ ସାଟେଲାଇଟ୍ ଯାଞ୍ଚ କରାଯାଇଛି । ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀଙ୍କର ଧାନ ସଂଗ୍ରହ ନେଇ ପ୍ରମାଣ କରାଯିବ।
ସୂଚନା ଅନୁଯାୟୀ, ୨୦୨୪-୨୫ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ରାଜ୍ୟର ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ମାତ୍ର ଏ ବର୍ଷ ୨ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଏ ବର୍ଷ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍ ବୃଦ୍ଧି କରାଯାଇଛି। ଉଭୟ ଖରିଫ ଓ ରବି ଋତୁ ପାଇଁ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।