ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ। ବଙ୍ଗୋପସାଗର ତତସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ସକାଳ ୫ଟା ୩୦ରେ ଲଘୁଚାପ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଦୁଇ ଦୁଇଟି ଲଘୁଚାପ ହୋଇଥିବାରୁ ବାତ୍ୟା ହେବା ପ୍ରାୟ ନିଶ୍ଚିତ ।
ସେପଟେ ସକ୍ରିୟ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହୋଇପାରେ । ଏବେ ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ରହିଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ମାଲେସିଆ ଏବଂ ପାର୍ଶ୍ଵବର୍ତ୍ତୀ ମାଲାକ୍କା ସମୁଦ୍ର ସନ୍ଧି ଉପରେ ଲଘୁଚାପ ସୃଷ୍ଟି ହୋଇଥିଲା ।
ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ଉପରେ ଆଇଏମଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ.ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ବାତ୍ୟା ଆକଳନ କରାଯାଇଥିଲେ ମଧ୍ୟ ଓଡ଼ିଶା ଉପରେ କ’ଣ ପ୍ରଭାବ ପଡ଼ିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ କରାଯାଇନାହିଁ। ଯଦି କିଛି ଆକଳନ କରାଯାଏ ତେବେ ଆଗାମୀ ଦିନରେ ସ୍ପଷ୍ଟ କରାଯିବ ବୋଲି ସେ କହିଛନ୍ତି।