ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଶିଖରରେ ଉଡ଼ିଛି ‘ଧର୍ମ ଧ୍ୱଜା’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମ ଧ୍ୱଜାବରଣ କରିଛନ୍ତି । ପ୍ରଭୁ ଶ୍ରୀରାମ ଏବଂ ମା ସୀତାଙ୍କ ବିବାହ ପଞ୍ଚମୀ ଅବସରରେ ଏକ ସ୍ୱତନ୍ତ୍ର ମୁହୂର୍ତ୍ତରେ ଧର୍ମ ଧ୍ୱଜାବରଣ କରାଯାଇଛି । ଏହି ଧର୍ମ ବାନାର ମଧ୍ୟ ପୌରାଣିକ ମହତ୍ତ୍ୱ ରହିଛି । ନାରଦ ପୁରାଣରେ ଧର୍ମ ଧ୍ୱଜା ବିଷୟରେ ବର୍ଣ୍ଣିତ ରହିଛି । ଯାହାକି ହଜାରେ ସୁବର୍ଣ୍ଣ ଦାନ ସହିତ ସମାନ ଏବଂ ମହାପାପରୁ ଦେଇଥାଏ ମୁକ୍ତି ।
ନାରଦ ପୁରାଣରେ ଧର୍ମ ଧ୍ୱଜାର ମହତ୍ତ୍ୱ
ପୁରାଣରେ ଧର୍ମ ଧ୍ୱଜା ସମ୍ପର୍କରେ ବର୍ଣ୍ଣିତ ରହିଛି । ଏହା ଦ୍ୱାରା କେଉଁ ଫଳ ମିଳେ ତାହା ମଧ୍ୟ ରଚନା କରାଯାଇଛି । ନାରଦପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ଧର୍ମ ଧ୍ୱଜା ଲାଗିଥାଏ । ଖାଲି ସେତିକି ନୁହେଁ ବ୍ରହ୍ମା ଏବଂ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ମଧ୍ୟ ଏହି ପବିତ୍ର ବାନା ଲଗାଯାଇଥାଏ । ମନ୍ଦିରରେ ଧର୍ମ ଧ୍ୱଜାବରଣ କଲେ କୋଟି କୋଟି ପୁଣ୍ୟ ଫଳ ମିଳିଥାଏ । ଏମିତି ଏକ ହଜାର ସ୍ୱର୍ଣ୍ଣ ଭାର ଦାନ ଦେବା ସହିତ ସମାନ ବୋଲି ବିଶ୍ୱାସ ରହିଛି । ଖାଲି ସେତିକି ନୁହେଁ ସ୍ନାନ, ତୁଳସୀ ଏବଂ ଶିବଙ୍କ ପୂଜା କଲେ ଯେଉଁ ପୁଣ୍ୟ ମିଳିଥାଏ ଧର୍ମ ଧ୍ୱଜାବରଣ କରିବା ମଧ୍ୟ ସେତିକି ପୁଣ୍ୟ ଦେଇଥାଏ । ମହାପାପରୁ ମୁକ୍ତି ଦେଇଥାଏ ଏହି ପବିତ୍ର ବାନା । ଧ୍ୱଜାର ଦଣ୍ଡ ବାଉଁଶ କିମ୍ବା ଅନ୍ୟ ଧାତୁରେ ତିଆରି ହୋଇଥାଏ । ଯିଏ ଧର୍ମ ଧ୍ୱଜା ସ୍ଥାପନ କରନ୍ତି ସିଏ ମହାପାପରୁ ମୁକ୍ତି ପାଇଥାଆନ୍ତି ବୋଲି ବିଶ୍ୱାସ ରହିଛି ।
ପୌରାଣିକ ବ୍ୟାଖ୍ୟା ଅନୁସାରେ ପ୍ରାତଃକାଳରେ ଉଠି ବିଧିପୂର୍ବକ ସ୍ନାନ କରି ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଧ୍ୱଜାରେ ସୂର୍ଯ୍ୟ, ଗରୁଡ଼ ଏବଂ ଚନ୍ଦ୍ରମାଙ୍କ ଚିହ୍ନ କରାଯାଇଥାଏ । ଚାରି ଜଣ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ କରି ଧ୍ୱଜାର ଦଣ୍ଡ ବା ଖମ୍ବକୁ ଗାୟତ୍ରୀ ମନ୍ତ୍ରରେ ପୂଜା କରାଯାଇଥାଏ । ଏହା ପରେ ଧ୍ୱଜାବତରଣ କରାଯାଏ ।
ଶ୍ରୀରାମ ମନ୍ଦିରରେ ସ୍ଥାପନ ହୋଇଥିବା ଧର୍ମ ଧ୍ୱଜାର ଲମ୍ବା ୨୨ ଫୁଟ ଏବଂ ଚଉଡ଼ା ୧୧ ଫୁଟ ରହିଥିବାବେଳେ ତାର ଓଜନ ଦୁଇ ରୁ ତିନି କିଲୋଗ୍ରାମ ରହିଛି । ଏଥିରେ ଶ୍ରୀରାମଙ୍କ ପ୍ରତିଭା ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଏକ ଉଜ୍ଜ୍ୱଳ ସୂର୍ଯ୍ୟର ପ୍ରତିଛବି ରହିଛି । ଏଥିରେ କୋବିଦାରା ଗଛର ପ୍ରତିଛବି ସହିତ ଏକ ‘ଓମ୍ ’ ଲେଖା ମଧ୍ୟ ରହିଥିବାବେଳେ ଗେରୁଆ ରଙ୍ଗ କରାଯାଇଛି । ତିନୋଟି ସ୍ତରରେ କପଡ଼ା ରହିଛି । ଏହାକୁ ପ୍ରସ୍ତୁତ କରିବାକୁ ୨୫ ଦିନ ସମୟ ଲାଗିଛି ।