ଭୁବନେଶ୍ୱର: ଆମେରିକାକୁ ପୋଷ୍ୟ କନ୍ୟା ହୋଇଯାଇଥିବା ପୂଜା ଓରଫ୍ ସେଜଲ ଭୁବନେଶ୍ୱର ଫେରିଛନ୍ତି । ଆମେରିକାରେ ନିର୍ଯ୍ୟାତନାର ଶୀକାର ହେଉଥିବା ଅଭିଯୋଗ ଆଣିଥିବା ସେଜଲ୍ ଓଡ଼ିଶା ଫେରିବା ପରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ନିର୍ଯ୍ୟାତନା ନୁହେଁ ବରଂ ପ୍ରେମ ପାଇଁ ଓଡ଼ିଶା ଫେରିବାକୁ ମିଛ ନାଟକ ରଚିଥିଲେ ବୋଲି କହିଛନ୍ତି ସେଜଲ୍ ।
ବାଲେଶ୍ୱର ଝିଅ ପୂଜା ଓରଫ୍ ସେଜଲ୍ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛନ୍ତି । ଓଡ଼ିଶାରେ ପହଁଚିବା ପରେ ଗଣମାଧ୍ୟମକୁ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ଆମେରିକୀୟ ମାତା-ପିତାଙ୍କ ନିର୍ଯ୍ୟାତନା ନୁହେଁ ବରଂ ପ୍ରେମ ପାଇଁ ସେ ଓଡ଼ିଶା ଫେରିବାକୁ ଚାହୁଁଥିଲେ । ଏଥିପାଇଁ ସେ ମିଛ ନାଟକ ରଚିଥିବା କହିଛନ୍ତି । ତେଣୁ ଆମେରିକାରେ ପ୍ରଶାସନ ଦ୍ୱାରା ଗିରଫ ହୋଇଥିବା ମାତା-ପିତାଙ୍କୁ ଛାଡ଼ି ଦେବାକୁ ସେ ପୁଣି ଅନୁରୋଧ କରିଛନ୍ତି । ସେଜଲ୍ କହିଛନ୍ତି ଯେ ସେ ଭୁବନେଶ୍ୱରରେ ପଢ଼ୁଥିବା ସମୟରେ ଚତୁର୍ଥ ଶ୍ରେଣୀରେ ଅମର ନାମକ ଜଣେ ପୁଅ ସହିତ ସମ୍ପର୍କରେ ଆସିଥିଲେ । ଏହା ପରେ ତାଙ୍କୁ ଆମେରିକୀୟ ଦମ୍ପତ୍ତି ପୋଷ୍ୟ କନ୍ୟା କରି ନେଇଯିବା ପରେ ସେ ଆଉ ଅମର ସହିତ ସମ୍ପର୍କରେ ରହିପାରିନଥିଲେ । ହା ପରେ ୨୦୨୪ରେ ତାଙ୍କୁ ତାଙ୍କ ମା ଏକ ମୋବାଇଲ୍ ଫୋନ୍ ଦେଇଥିଲେ । ୨୦୨୪ରେ ସେ ପୁଣି ଥରେ ସୋସିଆଲ୍ ମିଡ଼ିଆ ଜରିଆରେ ଅମରଙ୍କୁ ଖୋଜି ପାଇଥିଲେ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହା ପରେ ତାଙ୍କୁ ଆଉ ଆମେରିକାରେ ରହିବାକୁ ଭଲ ଲାଗିନଥିଲା । ସେ ଅମରଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି ବୋଲି ମାଆଙ୍କୁ ଜଣାଇଥିଲେ । ମାତ୍ର ମା ଅମରଙ୍କ ସହିତ ସମ୍ପର୍କ ନ ରଖିବାକୁ ପରାମର୍ଶ ଦେଇଥିଲେ । ଯେଉଁଥିପାଇଁ ସେ ମିଛ ନାଟକ ରଚିଥିବା କହିଛନ୍ତି । ଏହା ସହିତ ତାଙ୍କୁ ଆମେରିକାରେ ରହିବାକୁ ଭଲ ଲାଗୁନଥିଲା ବୋଲି କହିଛନ୍ତି ସେଜଲ୍ ।
ସେଜଲ୍ ଆହୁରି କହିଛନ୍ତି ଯେ ତାଙ୍କ ବାପା ମାଆଙ୍କର କୌଣସି ଭୁଲ ନାହିଁ । ତେଣୁ ସେମାନଙ୍କୁ ଛାଡ଼ି ଦେବାକୁ ସେ ଅନୁରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂଜା ଓରଫ୍ ସେଜଲଙ୍କୁ ଆମେରିକୀୟ ଦମ୍ପତ୍ତି ୨୦୧୮ ମସିହାରେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ଆମେରିକା ନେଇଯାଇଥିଲେ । କିନ୍ତୁ ଗତ କିଛି ଦିନ ତଳେ ସେଜଲ୍ ଏକ ଭିଡ଼ିଓ ପୋଷ୍ଟ କରି କହିଥିଲେ ଯେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ମାତା-ପିତା ବହୁତ ନିର୍ଯ୍ୟାତନା ଦେଉଛନ୍ତି । ଏହା ସହିତ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା କହିଥିଲେ । ତାଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଥିଲେ । ଏପଟେ ଅମର ମଧ୍ୟ ଭିଡ଼ିଓ ପୋଷ୍ଟ କରି ସେଜଲକୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଥିଲେ । ଘଟଣାକୁ ଗୁରୁତ୍ୱ ସହିତ ଗ୍ରହଣ କରି ବାଲେଶ୍ୱର ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ କରିଥିଲା । ସେଜଲଙ୍କୁ ଫେରାଇ ଆଣିବାକୁ ସେଠାକାର ପ୍ରଶାସନ ସହିତ ଯୋଗାଯୋଗ କରିଥିଲା ।