କୋଲକାତା: ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶବ୍ୟାପୀ କରାଯାଉଥିବା ଏସଆଇଆରକୁ ନେଇ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯଦି ବିଜେପି ବଙ୍ଗଳାରେ ମୋତେ କ୍ଷତି ପହଁଚାଇବାକୁ ଚେଷ୍ଟା କରେ ତେବେ ସେ ପୁରା ଦେଶ ଦୋହଲାଇ ଦେବେ ବୋଲି ଚେତାବନୀ ଦେଇଛନ୍ତି ମମତା ।
ମଙ୍ଗଳବାର ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନା ଜିଲ୍ଲାର ଠାକୁରନଗରରେ ଏସ୍ଆଇ୍ଆର ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବଡ଼ ଶୋଭାଯାତ୍ରା କରିଛନ୍ତି । ବୌଗାଁବର ତ୍ରିକୋଣ ପାର୍କ ନିକଟରୁ ପ୍ରାୟ ୩ କିଲୋମିଟର୍ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା ହୋଇଥିଲା । ସେଠାରେ ପ୍ରଥମେ ଏକ ଜନସଭା ଆୟୋଜନ କରାଯାଇଥିଲା ଯେଉଁଥିରେ ମମତା ନିଜ ଅଭିଭାଷଣରେ ଏସ୍ଆଇଆର୍ କୁ ଅରାଜକତା ଏବଂ ଧମକପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି । ବିଜେପି ଉପରେ ମଧ୍ୟ ଖୁବ ବର୍ଷିଥିଲେ । ମମତା କହିଛନ୍ତି କହିଛନ୍ତି ବିଜେପି ରାଜନୈତିକ ରୂପରେ ତାଙ୍କର ମୁକାବିଲା କରିପାରିବ ନାହିଁ କିମ୍ବା ଡରାଇପାରିବ ନାହିଁ । ନିର୍ବାଚନ ଆୟୋଗ ଆଉ ଏକ ନିରପେକ୍ଷ ସଂସ୍ଥା ହୋଇ ନାହିଁ । ନିର୍ବାଚନ ଆୟୋଗ ବିଜେପି ଆୟୋଗରେ ପରିଣତ ହୋଇଛି ।
ନିକଟରେ ଶେଷ ହୋଇଥିବା ବିହାର ନିର୍ବାଚନକୁ ଉଲ୍ଲେଖ କରି ମମତା କହିଛନ୍ତି ଯେ ବିହାରର "ଗରିବ" ବିରୋଧୀ ନେତାମାନେ ବିଜେପିର ଖେଳ ବୁଝିପାରିଲେ ନାହିଁ। "ଆମେ ସେମାନଙ୍କର ଖେଳ ବୁଝିପାରୁଛୁ ଏବଂ ଆମେ ସେମାନଙ୍କୁ ବଙ୍ଗଳାରେ ସଫଳ ହେବାକୁ ଦେବୁ ନାହିଁ । ଯଦି ସେମାନେ ବଙ୍ଗଳାକୁ ଛୁଇଁବାକୁ ଚେଷ୍ଟା କରନ୍ତି, ତେବେ ଆମେ ସମଗ୍ର ଦେଶକୁ ଥରାଇ ଦେବୁ।"ଟ୍ରେନ୍, ବିମାନ ଏବଂ ସୀମା ସବୁକିଛି କେନ୍ଦ୍ରୀୟ ଏଜେନ୍ସିମାନଙ୍କ ନିୟନ୍ତ୍ରଣରେ । ପାସପୋର୍ଟ, କଷ୍ଟମ୍ସ ଏବଂ ଉତ୍ପାଦ ଶୁଳ୍କ ସବୁକିଛି କେନ୍ଦ୍ର ସରକାର ଦ୍ୱାରା ପରିଚାଳିତ ହୁଏ । ତେବେ ଆମେ ବାଂଲାଦେଶୀମାନଙ୍କୁ ବଙ୍ଗଳାରେ ଅନୁପ୍ରବେଶ କରିବାକୁ କିପରି ଅନୁମତି ଦେଲୁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଶାସିତ ରାଜ୍ୟରେ କାହିଁକି ଏସ୍ଆଇଆର୍ କରାଯାଉଛି, ସେଠାରେ କଣ ଅନୁପ୍ରବେଶକାରୀ ରହିଛନ୍ତି ?
ଯଦି ଦୁଇ-ତିନି ବର୍ଷରେ ଏସଆଇଆର୍ କରାଯାଏ ତେବେ ଯଥା ସମ୍ଭବ ଏହାର ସମର୍ଥନ କରିବେ । କିନ୍ତୁ ଯଦି ବିଜେପି ବଙ୍ଗଳାରେ ମୋତେ କ୍ଷତି ପହଁଚାଇବାକୁ ଚେଷ୍ଟା କରିବ, ତେବେ ମୁଁ ସମଗ୍ର ଦେଶର ବିଜେପିର ମୂଳଦୁଆକୁ ଦୋହଲାଇ ଦେବି, କହିଛନ୍ତି ମମତା ।